ଇସଲାମବାଦ:ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଗତ ୯ ତାରିଖରେ ଗିରଫ କରାଯିବା ପରେ PIMS ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ଲାଗି ଭର୍ତ୍ତି କରାଯାଇଥିଲା । ତେବେ ତାହାର ରିପୋର୍ଟ ଆଜି ଆସିଥିବା ବେଳେ ସେ ନେଇ ସୂଚନା ଦେଇଛନ୍ତି ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ କାତିର ପଟେଲ । ଇମ୍ରାନଙ୍କ ମେଡିକାଲ ରିପୋର୍ଟ ଅନୁସାରେ ସେ ବହୁଳ ମାତ୍ରାରେ ନିଶାଦ୍ରବ୍ୟ ସେବନ କରିବା ସହ ତାଙ୍କ ଅସ୍ଥିର ମାନସିକ ଥିବା ନେଇ ସେ କହିଛନ୍ତି । ସେପଟେ ଗତ ୫ରୁ ୬ମାସ ଧରି ଇମ୍ରାନ ଗୋଡକୁ ପ୍ଲାଷ୍ଟର କରିଥିଲେ । ତେବେ ତାଙ୍କ ଗୋଡ଼ ଭାଙ୍ଗିନଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।
କରାଚିରେ ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନଙ୍କ ମେଡିକାଲ ରିପୋର୍ଟ ନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଥିବା ସେ କହିଛନ୍ତି । ଗତ ୫ରୁ ୬ ମାସ ଧରି ଗୋଡ ଭାଙ୍ଗିଥିବା ନେଇ ଇମ୍ରାନ ପ୍ଲାଷ୍ଟର କରି ବୁଲୁଥିବା ବେଳେ ତାଙ୍କ ଗୋଡ଼ ଭାଙ୍ଗିବା ନେଇ ରିପୋର୍ଟରେ କୌଣସି ତଥ୍ୟ ନଥିବା ସେ କହିଛନ୍ତି । ଏହି ପରୀକ୍ଷା ଲାଗି ଇମ୍ରାନଙ୍କ ମୂତ୍ରକୁ ନମୁନା ଭାବେ ସଂଗ୍ରହ କରାଯାଇଥିଲା । ପରୀକ୍ଷା ପରେ ସେ ଅତ୍ୟଧିକ ନିଶା ଦ୍ରବ୍ୟ ଯେପରିକି କୋକେନ, ମଦ ସେବନ କରୁଥିବା ନେଇ ଜଣାପଡ଼ିଥିଲା ।
ଏହା ବି ପଢନ୍ତୁ- ଇମ୍ରାନଙ୍କୁ ପୁଣି ଝଟକା, ଇସ୍ତଫା ଦେଲେ PTI ସେକ୍ରେଟାରୀ ଜେନେରାଲ
ଏହାସହିତ ତାଙ୍କର ମାନସିକ ସନ୍ତୁଳନ ଠିକ ନଥିବା ସେ କହିଛନ୍ତି । ତାଙ୍କ ଆଚରଣ ଜଣେ ଫିଟ ମ୍ୟାନ ପରି ନଥିବା ସେ କହିଛନ୍ତି । ଏହାସହିତ ସେ ମାନସିକ ସ୍ତରରେ ସୁସ୍ଥ ନଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପଟେଲ । ଏ ନେଇ ସମସ୍ତ ରିପୋର୍ଟ ଆସିବା ପରେ ଏଗୁଡ଼ିକୁ ପୋଲିସକୁ ହସ୍ତାନ୍ତର କରାଯିବ । ସେ ଆହୁରି କହିଛନ୍ତି ଯେ ଇମ୍ରାନ ଏବେ ଯାହା ବି ଆଚରଣ କରୁଛନ୍ତି ତାହା କେବଳ 'ପାଗଳ ବ୍ୟକ୍ତି' ପରି କରୁଛନ୍ତି । ଏ ନେଇ ୫ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ ମଧ୍ୟ ସ୍ପଷ୍ଟ କରିଛନ୍ତି । ତାଙ୍କ ମାନସିକ ସ୍ଥିତି ସଠିକ ନଥିବା ସେମାନେ ସ୍ପଷ୍ଟ କରିଛନ୍ତି ।
ସୂଚନା ଥାଉ କି ମେ ୯ ତାରିଖରେ ଇମ୍ରାନ ଗିରଫ ହେବା ପରେ ପାକିସ୍ତାନ ଅଶାନ୍ତ ହୋଇଉଠିଥିଲା । ଇମ୍ରାନଙ୍କ ସମର୍ଥକ ଭଙ୍ଗାରୁଜା ସାଙ୍ଗକୁ ପୋଡ଼ାଜଳା କରିଥିଲେ । ଏପରି ଘଟଣା ୧୯୭୧ ମସିହା ପରେ ପ୍ରଥମ ଥିଲା ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପଟେଲ । ଅନ୍ୟପଟେ ପାକିସ୍ତାନ ସରକାର ଇମ୍ରାନ ଓ ତାଙ୍କ ପତ୍ନୀଙ୍କ ବିଦେଶ ଯାତ୍ରାକୁ ବ୍ୟାନ କରିଛନ୍ତି । ଏପଟେ ଇମ୍ରାନଙ୍କ ଗିରଫଦାରୀ ପରେ ଉପଜୁଥିବା ହିଂସାକାଣ୍ଡ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ ଆଣି ଅନେକ ବରିଷ୍ଠ ନେତା ପିଟିଆଇରୁ ଇସ୍ତଫା ଦେଉଥିବା ଦେଖିବାକୁ ମିଳିଛି । ଫଳରେ ପିଟିଆଇ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ।