କିନସାସା:ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ହିଂସାକାଣ୍ଡ । ସେନା ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଅତି କମରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50 ଜଣ ଆହତ ହୋଇଛନ୍ତି । ବୁଧବାର ସକାଳ ସମୟରେ ପୂର୍ବ ଗୋମା ସହରରେ ଏହି ହିଂସାକାଣ୍ଡ ଘଟିଥିବା ସ୍ଥାନୀୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ୱାଜାଲେଣ୍ଡୋ ଅନୁଗାମୀମାନେ ଜାତିସଂଘର ଶାନ୍ତି ରକ୍ଷା ମିଶନ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପୂର୍ବ ଗୋମା ସହରରେ ଏକାଠି ହୋଇଥିଲେ । ଏହା ପୂର୍ବରୁ ବିରୋଧ ପ୍ରଦର୍ଶନ ଉପରେ ସ୍ଥାନୀୟ ମେୟର ପ୍ରତିବନ୍ଧକ ଲଗାଇଥିଲେ । କଙ୍ଗୋ ସେନା ବିକ୍ଷୋଭକାରୀଙ୍କୁ ବିରୋଧ କରିଥିଲେ । ଏହି ସମୟରେ କଙ୍ଗୋ ସେନା ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ କଙ୍ଗୋ ସେନା କହିଛି ଯେ, ବିକ୍ଷୋଭକାରୀ ମାନେ ପଥର ମାଡ କରିବାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଫଳରେ 160 ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି ।
ଉତ୍ତର କିଭ ଅଞ୍ଚଳରେ ସିଭିଲ୍ ସୋସାଇଟିର ଉପ ସଭାପତି ପ୍ଲାସିଡ୍ ନଜିଲାମ୍ବା ଗୁରୁବାର କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ସେନା ଓ ବିକ୍ଷୋଭକାରୀଙ୍କ ସଂଘର୍ଷରେ 26 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ 50 ଜଣ ଆହତ ହୋଇଛନ୍ତି । ଗୋମାର ନିକଟସ୍ଥ ନଡୋଶୋ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି ।