ମାଲେ: ମାଳଦ୍ବୀପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ବିଦେଶ ମନ୍ତ୍ରାଳୟ ଓ ପର୍ଯ୍ୟଟନ ମନ୍ତ୍ରାଳୟ ସମତେ ଦେଶର ଅନେକ ମୁଖ୍ୟ ସରକାରୀ ଓ୍ବେବସାଇଟ ଗୁଡିକ ଶନିବାର ରାତିରେ ଡାଉନ ହୋଇଯାଇଥିଲା । ତେବେ ବର୍ତ୍ତମାନ ଏହିସବୁ ଓ୍ବେବସାଇଟଗୁଡିକ ପୁନଃ ଚାଲୁ ହୋଇଛି । ଏନେଇ ମାଳଦ୍ବୀପର ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଶନିବାର ବିଳମ୍ବିତ ରାତିରେ ଓ୍ବେବସାଇଟ ଡାଉନ ବାବଦରେ ସୂଚନା ଦିଆଯାଇଛି ।
ଏନେଇ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟରେ ଲେଖାଯାଇଛି, "ଦୟାକରି ଧ୍ୟାନ ଦିଅନ୍ତୁ । ରାଷ୍ଟ୍ରପତି କାର୍ଯ୍ୟାଳୟର ଓ୍ବେବସାଇଟ ବର୍ତ୍ତମାନ ଏକ ଅପ୍ରତ୍ୟାଶିତ ଯାନ୍ତ୍ରିକ ତ୍ରୁଟିର ସାମ୍ନା କରିଛି । ଏନସିଆଇଟି (ନେସନାଲ ଇନଫର୍ମେସନ ଟେକ୍ନୋଲୋଜି ସେଣ୍ଟର) ଓ ଏଥିସହ ଜଡିତ ଅନ୍ୟାନ୍ୟ ସଂସ୍ଥାଗୁଡିକ ଏହି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛନ୍ତି ।"
ଓ୍ବେବସାଇଟ କାର୍ଯ୍ୟକ୍ଷମ ହେଉନଥିବା ଯୋଗୁଁ ରାଷ୍ଟ୍ରପତିଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ସାଧାରଣ ଲୋକଙ୍କୁ କ୍ଷମାପ୍ରାର୍ଥନା କରାଯିବା ସହ ଆଉ ମଧ୍ୟ ଲେଖାଯାଇଥିଲା, "ଯଦି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ତେବେ ସେଥିପାଇଁ ଆମେ ଦୁଃଖିତ । ଆପଣମାନଙ୍କ ବୁଝାମଣା ଓ ଧୈର୍ଯ୍ୟ ପାଇଁ ଧନ୍ୟବାଦ ।" ଶନିବାର ବିଳମ୍ବିତ ରାତି 12ଟା 52 ସୁଦ୍ଧା ଏହି ଟ୍ବିଟ୍ କରାଯାଇଥିଲା । ଶନିବାର ରାତିରୁ ଓ୍ବେବସାଇଟଗୁଡିକରେ କାର୍ଯ୍ୟକ୍ଷମ ହେଉନଥିବା ବେଳେ ରବିବାର ଓ୍ବେବସାଇଟଗୁଡିକୁ ଠିକ କରାଯାଇଛି ।