କଲୋମ୍ବୋ:ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଦେଶରେ ସବୁଠୁ ଅଧିକ ଅଭାବ ରହିଛି ଇନ୍ଧନର । ତେବେ ଦେଶରେ ସ୍ଥିତି ଅଣାୟତ ହେବାକୁ ଯାଉଥିବା ବେଳେ ଋଷ ଠାରୁ ଇନ୍ଧନ ସହାୟତା ମାଗିଛି ଶ୍ରୀଲଙ୍କା । ଏହି ପ୍ରସଙ୍ଗରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଟେଲିଫୋନିକ ବାର୍ତ୍ତାଳାପ କରିଥିବା ସୂଚନା ମିଳିଛି । ବାର୍ତ୍ତାଳାପ ନେଇ ଗୋଟାବାୟା ମଧ୍ୟ ଟ୍ବିଟ କରିଛନ୍ତି । ଏହା ଏକ ଫଳପ୍ରଦ ବାର୍ତ୍ତାଳପ ଥିଲା । ଶ୍ରୀଲଙ୍କାକୁ କ୍ରେଡିଟ ମୋଡରେ ଇନ୍ଧନ ଯୋଗାଇବା ପାଇଁ ସେ ପୁଟିନଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ଓ ଋଷ ସମସ୍ତ ସହଯୋଗ କରିବା ନେଇ ସହମତି ପ୍ରକାଶ କରିଥିବା ସେ ନିଜ ଟ୍ବିଟରେ ପ୍ରକାଶ କରିଛନ୍ତି ।
ତେବେ କେବଳ ବର୍ତ୍ତମାନର ଅର୍ଥିକ ସମସ୍ୟା ନୁହେଁ ବରଂ ଉଭୟ ଦେଶ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢୀକରଣ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ, ବାଣିଜ୍ୟ, ଶକ୍ତି ଓ ସଂସ୍କୃତି କ୍ଷେତ୍ରରେ ସହଭାଗୀତା ନେଇ ମଧ୍ୟ ଆଲୋଚନା ହୋଇଛି । ଶ୍ରୀଲଙ୍କାକୁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ଋଷ ସମସ୍ତ ପ୍ରୟାସ କରିବାକୁ ଆକ୍ରହ ପ୍ରକାଶ କରିଛି ବୋଲି ମଧ୍ୟ ଗୋଟାବାୟା ଟ୍ବିଟରେ ଉଲ୍ଲେଖ କରିଛନ୍ତି ।