ବ୍ୟୁନେସ୍ ଆରିଜ: ଆର୍ଜେଣ୍ଟିନାର ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଜାଭିୟର ମିଲେଇ । ରବିବାର ଦିନ ବ୍ୟୁନେସ ଆରିଜରେ ଅବସ୍ଥିତ କଂଗ୍ରେସ(ସଂସଦ)ଠାରେ ପୂର୍ବତନ ରାଷ୍ଟ୍ରପତି ଆଲବର୍ଟ ଫର୍ଣ୍ଣାଣ୍ଡିଜ୍ ଅଧ୍ୟକ୍ଷତାରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ହୋଇଥିଲା । ତେବେ ମିଲାଇ ଜଣେ ଅର୍ଥନୈତିଜ୍ଞ ଓ ରାଜନୈତିଜ୍ଞ ଅଟନ୍ତି । ଯିଏ ନିଜର ନିର୍ବାଚନୀ ପ୍ରଚାର ବେଳେ ଅର୍ଥ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପଟେ ଆର୍ଜେଣ୍ଟିନା ଆର୍ଥିକ ସଙ୍କଟ ମଧ୍ୟ ଗତି କରୁଥିବା ବେଳେ ଏହାର ମୁକାବିଲା ମିଲେଇଙ୍କ ପାଇଁ ବେଶ ଚ୍ୟାଲେଞ୍ଜଭରା ରହିବ ।
ନୂତନ ଯୁଗର ଆରମ୍ଭ: ଆର୍ଜେଣ୍ଟିନାର ସଂସଦ(କଂଗ୍ରେସ)ରେ ରାଷ୍ଟ୍ରପତି ଭାବେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମିଲେଇ । ତେବେ ଏହି ଅବସରରେ ସେ କହିଛନ୍ତି, "ଆଜି ଆର୍ଜେଣ୍ଟିନା ପାଇଁ ଏକ ନୂତନ ଯୁଗର ଆରମ୍ଭ । ଆଜିଠୁ ଅବନତି ଓ ହ୍ରାସକୁ ନେଇ ଦୁଃଖ ଭରା ଇତିହାସର ଅନ୍ତ ହେବାକୁ ଯାଉଛି । ଆମେ ପୁନଃନିର୍ମାଣ ରାସ୍ତାରେ ଆସୁଛେ । ଆର୍ଜେଣ୍ଟିନା ନାଗରିକ ପରିବର୍ତ୍ତନ ପାଇଁ ଭୋଟ ଦେଇଛନ୍ତି ଓ ଆଉ ଆମେ ଏବେ ଏଥିରୁ ପଛକୁ ହଟିବା ନାହିଁ ।"
ଏହାମଧ୍ୟ ପଢନ୍ତୁ..ଆର୍ଜେଣ୍ଟିନାର ନୂତନ ରାଷ୍ଚ୍ରପତି ହେଲେ ଜାଭିଅର ମିଲେଇ, ଆର୍ଥିକ ସଙ୍କଟର ମୁକାବିଲା ପାଲଟିବ ବଡ଼ ଚାଲେଞ୍ଜ
ମିଲେଇ ଶପଥ ଗ୍ରହଣ ସମାୋହରେ ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି, ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତି ଜେର ବୋଲସୋନାରୋ ଓ ଇସ୍ରାଏଲ ବୈଦେଶିକ ମନ୍ତ୍ରୀ ଏଲି କୋହେନ ସାମିଲ ହୋଇଥିଲେ ।
ସୂଚନା ଅନୁଯାୟୀ, ମିଲେଇ ଆର୍ଜେଣ୍ଟିନା ଅର୍ଥ ବ୍ୟବସ୍ଥାକୁ ନେଇ ଆଇଏମଏଫ (international monetary fund) ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି । ଏଥିସହ ମିଲାଇ ଓ୍ବାଶିଂଟନରେ ଆମେରିକୀୟ ଅଧିକାରୀଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି ।
ତେବେ ବର୍ତ୍ତମାନ ସ୍ଥିତିରେ ଆର୍ଜେଣ୍ଟିନା ମୁଦ୍ରାସ୍ଫୀତି ବୃଦ୍ଧି, ଆର୍ଥିକ ସଙ୍କଟ ଓ ଦାରିଦ୍ର୍ୟତା ମଧ୍ୟରେ ଗତି କରୁଥିବା ବେଳେ ଏହାର ମୁକାବିଲା ପାଇଁ ନବନିର୍ବାଚିତ ରାଷ୍ଟ୍ରପତି ଜାଭିଅରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ସାଧାରଣ ନାଗରିକ । ଦେଶରେ ଚାଲିଥିବା ଏହି ସଙ୍କଟକୁ ମୁକାବିଲା କରିବା ପାଇଁ 53 ବର୍ଷୀୟ ଜାଭିଅରଙ୍କ ପାଇଁ ବଡ ଚାଲେଞ୍ଜ ଅଟେ । ଆର୍ଜେଣ୍ଟିନା ରାଷ୍ଟ୍ରପତି ନିର୍ବାଚନରେ ଜାଭିୟର୍ ମିଲି ଓ ସର୍ଜିଓ ମାସା ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମିଲେଇଙ୍କ ସପକ୍ଷରେ ପାଖାପାଖି 56 ପ୍ରତିଶତ ଭୋଟ ଆସିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସର୍ଜିଓ ମାସାଙ୍କୁ ମିଳିଥିଲା ପାଖାପାଖି 44 ପ୍ରତିଶତ ଭୋଟ ।
ତେବେ ନିର୍ବାଚନ ପୂର୍ବରୁ ମିଲେଇ ଆର୍ଜେଷ୍ଟିନାର ଆର୍ଥିକ ସ୍ଥିତିରେ ସୁଧାର ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ଯୋଜନାଗୁଡ଼ିକ ହେଉଛି କେନ୍ଦ୍ରୀୟ ବ୍ୟାଙ୍କ ବନ୍ଦ କରିବା, ଖର୍ଚ୍ଚ ହ୍ରାସ କରିବା, ଆର୍ଥନୈତିର ସୁଦୃଢ଼ତା ପାଇଁ କିଛି କଡା ସଂସ୍କାର ଆଣିବା ।
ତେବେ ଜାଭିଅର ମିଲେଇ 1970 ମସିହା ଅକ୍ଟୋବର 22ତାରିଖରେ ବୁଏନସ ଆରେସରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରରେ ଜଣେ ଅର୍ଥନୈତିଜ୍ଞ, ଲେଖକ ଓ ରାଜନେତା ଅଟନ୍ତି । ତାଙ୍କର ବିଶେଷକରି ଯୁବ ସମର୍ଥକ ଅଧିକ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ