ଟୋକିଓ: ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ (Shinzo Abe succumbed to his injuries) । ଜାପାନର ନାରା ସହରରେ ଭାଷଣ ଦେଉଥିବା ବେଳେ ସିଞ୍ଜୋଙ୍କୁ ଗୁଳିମାଡ଼ ହୋଇଥିଲା । ହଠାତ୍ ପଛପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଘଟଣାସ୍ଥଳରେ ସିଞ୍ଜୋ ଆବେ ଟଳି ପଡିଥିବା ବେଳେ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା ।
ମାତ୍ର ସ୍ବାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ନାରା ମେଡିକାଲ ୟୁନିଭରସିଟି ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ଗୁଳିମାଡ ପରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ହୃଦଘାତ ହୋଇଥିବା ମଧ୍ୟ ଖବର ମିଳିଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ୨୦୦୬-୦୭ ଓ ୨୦୧୨-୨୦ ଯାଏ ସିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ।