ରୋମ:ରୋମରେ ଏକ ବୈଠକ ଚାଲିଥିବା ବେଳେ ଆଖିବୁଜା ଗୁଳିମାଡ । ଆତତାୟୀଙ୍କ ଗୁଳିମାଡରେ ଟଳିପଡିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ (Italian Prime Minister Giorgia Meloni) ବନ୍ଧୁଙ୍କ ସମେତ ୩ଜଣ ମହିଳା । ରବିବାର ସନ୍ଧ୍ୟାରେ ଏକ ଆପାର୍ଟମେଣ୍ଟରେ ବୈଠକ ଚାଲିଥିବା ବେଳେ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ଏନେଇ ପ୍ରଧାନମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି ।
ସୂଚନାଅନୁସାରେ, ଗତକାଲି(ରବିବାର) କୌଣସି ଏକ ବିଷୟକୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅନେକ ଲୋକ ଉପସ୍ଥିତ ରହିଥିବା ବେଳେ ହଠାତ୍ ଜଣେ ଯୁବକ ପହଞ୍ଚି ଆଖିବୁଜା ଗୁଳିମାଡ କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ ବାନ୍ଧବୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଆହତ ହୋଇଥିବା ସୂଚନା । ତେବେ ସେମାନଙ୍କ ମଧ୍ୟରୁ ଜଣକର ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଏହାପରେ ଉକ୍ତ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫୭ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ।
ଏହି ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଉକ୍ତ ଦୁର୍ବୃତ୍ତଙ୍କ ସହ ମୃତ ମହିଳାମାନଙ୍କ ସହ ବିବାଦ ରହିଥିଲା । ତେଣୁ ସେ ଆସି ଗୁଳିମାରି ହତ୍ୟା କରିଲା ।