ଓଡିଶା

odisha

ଗାଜା ହସ୍ପିଟାଲରେ ଆକ୍ରମଣ କରିଛି ହମାସ ଗୋଷ୍ଠୀ ! ଆତଙ୍କବାଦୀଙ୍କ ଅଡିଓ ଜାରି କଲା ଇସ୍ରାଏଲ, ବାଇଡେନଙ୍କ ସମର୍ଥନ

By ETV Bharat Odisha Team

Published : Oct 18, 2023, 5:31 PM IST

ହମାସ ଗୋଷ୍ଠୀର ରକେଟ ହସ୍ପିଟାଲରେ ମାଡ ହୋଇଥିବା ସମ୍ପର୍କରେ ଆତଙ୍କୀଙ୍କ ବାର୍ତ୍ତାଳାପ ଅଡିଓ ରିଲିଜ କଲା ଇସ୍ରାଏଲ । ବାଇଡେନ କହିଲେ, ଦୁଃଖିତ, କିନ୍ତୁ ଇସ୍ରାଏଲ ନୁହେଁ ଅନ୍ୟ ଗୋଷ୍ଠୀ କରିଛି ଆକ୍ରମଣ । ଅଧିକ ପଢନ୍ତୁ

ଗାଜା ହସ୍ପିଟାଲରେ ଆକ୍ରମଣ କରିଛି ହମାସ ଗୋଷ୍ଠୀ ! ଅଡିଓ ଜାରି କଲା ଇସ୍ରାଏଲ, ବାଇଡେନଙ୍କ ସମର୍ଥନ
ଗାଜା ହସ୍ପିଟାଲରେ ଆକ୍ରମଣ କରିଛି ହମାସ ଗୋଷ୍ଠୀ ! ଅଡିଓ ଜାରି କଲା ଇସ୍ରାଏଲ, ବାଇଡେନଙ୍କ ସମର୍ଥନ

ହାଇଦ୍ରାବାଦ:ଗାଜା ସ୍ଥିତ ଏକ ହସ୍ପିଟାଲ ଉପରେ ଆକ୍ରମଣରେ ପ୍ରାୟ 5 ଶହ ନାଗରିକଙ୍କ ମୃତ୍ୟୁ ହେବା ଘଟଣାରେ ଏବେ ନୂଆ ମୋଡ । ଗତକାଲିଠାରୁ ଏହି ଆକ୍ରମଣକୁ ଖଣ୍ଡନ କରିଆସିଥିବା ଇସ୍ରାଏଲ ସେନା ଆଜି ଡିଜିଟାଲ ପ୍ରମାଣ ସହ ଏହା ‘ହମାସ’ ଆତଙ୍କୀ ଗୋଷ୍ଠୀଙ୍କ ଦ୍ବାରା ହୋଇଥିବା ଦାବି ଦୋହରାଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଆଜି ଆକ୍ରମଣ ସମ୍ପର୍କରେ ଏକ ଅଡିଓ କ୍ଲିପ ଜାରି କରିଛି । ଯେଉଁଥିରେ ଏହି ରକେଟ ଆଟାକ ‘ହମାସ’ ଦ୍ବାରା କରାଯାଇଥିବା ଦୁଇ ଜଣ ହମାସ ଆତଙ୍କୀ କଥା ହେଉଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି ।

ଅନ୍ୟପଟେ ଆଜି ଟେଲ-ଆଭିଭରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ଇସ୍ରାଏଲକୁ ସମର୍ଥନ ଘୋଷଣା କରିବା ସହ ଗାଜାର ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ଇସ୍ରାଏଲ ସେନା ନୁହେଁ ବରଂ ଅନ୍ୟ ଗୋଷ୍ଠୀ ଦ୍ବାରା ହୋଇଥିବା ବାଇଡେନ କହିଛନ୍ତି । ଗାଜା ହସ୍ପିଟାଲ ଆକ୍ରମଣରେ ବାଇଡେନ ଶୋକ ମଧ୍ୟ ପ୍ରକାଶ କରିଛନ୍ତି ।

ଏହି ଆକ୍ରମଣ ପାଇଁ ଇସ୍ରାଏଲ ସେନାକୁ ଦାୟୀ କରାଯାଉଥିବା ବେଳେ ଆଜି ଇସ୍ରାଏଲ ଡିଫେନ୍ସ ଫୋର୍ସର ପ୍ରବକ୍ତା ଡାନିଏଲ ହଗାରୀ ଏହି ଆକ୍ରମଣ ନେଇ ଏକ ଡିଜିଟାଲ ପ୍ରମାଣ ସାମ୍ନାକୁ ଆଣିଛନ୍ତି । ଯେଉଁଥିରେ ସ୍ଥାନୀୟ ଭାଷାରେ ବାର୍ତ୍ତାଳାପ କରୁଥିବା ଦୁଇ ବ୍ୟକ୍ତି ହମାସ କମାଣ୍ଡର ବୋଲି ସେ ଦାବି କରିଛନ୍ତି । ଏହି ଦୁଇ ବ୍ୟକ୍ତି ହସ୍ପିଟାଲ ଆକ୍ରମଣ ସମ୍ପର୍କରେ କଥା ହେଉଛନ୍ତି । ଇସ୍ରାଏଲ ଫୋର୍ସ ଉପରେ ଏହି ରକେଟ ମାଡ କରାଯାଉଥିବା ବେଳେ ଏହାର ମିସଫାଏର ହୋଇ ହସ୍ପିଟାଲ ଉପରେ ପଡିଥିବା ସେମାନେ କଥା ହେଉଥିବା ଇସ୍ରାଏଲ ସେନା ଜାରି କରିଥିବା କ୍ଲିପରେ ଶୁଣିବାକୁ ମିଳୁଛି । ମାତ୍ର ଆକ୍ରମଣ ପରେ ଏହା ଇସ୍ରାଏଲ ଫୋର୍ସର ଏୟାର ଷ୍ଟ୍ରାଇକ ବୋଲି ହମାସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିରେ ଚିକିତ୍ସାଧୀନ ଆହତଙ୍କ ସମେତ ପ୍ରାୟ 5 ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତରେ ଜୋ ବାଇଡେନ, ଗାଜା ହସ୍ପିଟାଲରେ ରକେଟ ମାଡ ପରେ ଜୋର୍ଡାନରେ ଶିଖର ବୈଠକ ବାତିଲ

ଆମେରିକାର ପୂର୍ଣ୍ଣ ସମର୍ଥନ ପାଇଁ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ସେ କହିଛନ୍ତି, ଏହି ଯୁଦ୍ଧ ଏକ ଭିନ୍ନ ପ୍ରକାରର ଯୁଦ୍ଧ । କାରଣ ଏହି ମିଶନରେ ହମାସ ମଧ୍ୟ ଏକ ଭିନ୍ନ ଧରଣର ଶତ୍ରୁ । ଇସ୍ରାଏଲ ତାର ଅପରେସନ ଜାରି ରଖିବ । କିନ୍ତୁ ସେନା ସାଧାରଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ନଘଟିବା ନେଇ ମଧ୍ୟ ସମ୍ବେଦନଶୀଳ । ମାତ୍ର ହମାସ ଗୋଷ୍ଠୀ ସାଧାରଣ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିଛି । ଆମେରିକା ସବୁବେଳ ଇସ୍ରାଏଲ ସହ ରହିଆସିଛି । ଆଗକୁ ମଧ୍ୟ ରହିବାକୁ ପ୍ରତିଶ୍ରତି ଦେଇଛି । ସେଥିପାଇଁ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details