ଓଡିଶା

odisha

By ETV Bharat Odisha Team

Published : Nov 26, 2023, 10:54 PM IST

ETV Bharat / international

ଅସ୍ତ୍ରବିରତିରେ ନେତାନ୍ୟାହୁଙ୍କ ଗାଜା ଗସ୍ତ: କହିଲେ, ଆମକୁ କେହି ରୋକିପାରିବେ ନାହିଁ

ଅସ୍ତ୍ରବିରତିରେ ନେତାନ୍ୟାହୁଙ୍କ ଅଚାନକ ଗାଜା ଗସ୍ତ । ସେନା ସହ କଲେ ଆଲୋଚନା । କହିଲେ କୌଣସି ପରିସ୍ଥିତିରେ ଅଟକିବ ନାହିଁ ଇସ୍ରାଏଲର ସାମରିକ ଅପରେସନ । ଅଧିକ ପଢନ୍ତୁ

ଗାଜା ଗସ୍ତ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ସେନା ସହ କଲେ ଆଲୋଚନା
ଗାଜା ଗସ୍ତ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ସେନା ସହ କଲେ ଆଲୋଚନା

ହାଇଦ୍ରାବାଦ:ଇସ୍ରାଏଲ-ଗାଜା ମଧ୍ୟରେଅସ୍ତ୍ରବିରତି ଅବଧି ମଧ୍ୟରେ ପଣବନ୍ଦୀଙ୍କୁ ମୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ଅଚାନକ ଗାଜା ଷ୍ଟ୍ରିପରେ ପହଞ୍ଚିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ନେତାନ୍ୟାହୁଙ୍କ ଏହି ଗସ୍ତ ସମ୍ପର୍କରେ ଇସ୍ରାଏଲ ସେନା କିମ୍ବା ସରକାର ପୂର୍ବରୁ କୌଣସି ସୂଚନା ସାର୍ବଜନୀନ କରିନଥିଲେ । ମାତ୍ର ଏହି ଗସ୍ତ ପରେ ସେଠାରୁ ହିଁ ଏକ ଭିଡିଓ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଟ୍ବିଟ କରିଛି । ନେତାନ୍ୟାହୁ ଗାଜାରେ ଜାରି ରହିଥିବା ଅପରେସନର ସମ୍ପର୍କରେ ସମୀକ୍ଷା କରିବା ସହ ସେନା ସହ ଆଲୋଚନା କରିଛନ୍ତି । ଏବେ ସାମରିକ ଅପରେସନ ସାମୟିକ ଭାବେ ସ୍ଥଗିତ ରହିଥିବା ବେଳେ ଇସ୍ରାଏଲର ସାମରିକ ଅପରେସନକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ନିଜ ସେନାର ଯବାନଙ୍କୁ କହିଛନ୍ତି ନେତାନ୍ୟାହୁ ।

ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଜାରି କରିଥିବା ଭିଡିଓରେ ନେତାନ୍ୟାହୁ ସେନା ପୋଷାକରେ ସେନାଧିକାରୀଙ୍କ ସହ ଗାଜା ଅପରେସନ ସମ୍ପର୍କରେ ସମୀକ୍ଷା କରୁଛନ୍ତି । ଯବାନଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, “କେହି ଆମକୁ ଅଟକାଇ ପାରିବ ନାହିଁ ଓ ଆମେ ନିଶ୍ଚିତ ଯେ ଏହି ଯୁଦ୍ଧର ସମସ୍ତ ଲକ୍ଷ୍ୟ ହାସଲ କରିବୁ । ଆମର ଶକ୍ତି, ଇଚ୍ଛା ଓ ସଂକଳ୍ପ ଅଛି ଏବଂ ତାହା ହିଁ ଆମେ କରିବୁ ।’’

ଅନ୍ୟପଟେ ଆଜି ତୃତୀୟ ଦିନରେ ପଣବନ୍ଦୀ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଇସ୍ରାଏଲ ସେନାର ସୂଚନା ଅନୁସାରେ, ରେଡକ୍ରସର ସ୍ବଚ୍ଛାସେବୀଙ୍କ ମାଧ୍ୟମରେ ହମାସ ଆତଙ୍କୀମାନେ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରୁଛନ୍ତି । ଆଜି 14 ଇସ୍ରାଏଲୀ ଓ 3 ବିଦେଶୀ ନାଗରିକଙ୍କୁ ରେଡକ୍ରସକୁ ହସ୍ତାନ୍ତର କରାଯାଇଛି । ସମସ୍ତଙ୍କୁ ଇସ୍ରାଏଲ ସେନା ରେଡକ୍ରସ ସ୍ବଚ୍ଛାସେବୀଙ୍କଠାରୁ ଗ୍ରହଣ କରିବ । 3 ବିଦେଶୀଙ୍କ ପରିଚୟ ସ୍ପଷ୍ଟ ହୋଇନି ।

ଏହା ମଧ୍ୟ ପଢନ୍ତୁ:- ଆଜି ମୁକ୍ତ ହେବେ 13 ଇସ୍ରାଏଲୀ ଓ 39 ପାଲେଷ୍ଟାଇନ ନାଗରିକ

ଗତମାସ 7 ତାରିଖରୁ ଇସ୍ରାଏଲ ଗାଜାରେ ଜାରି ରଖିଥିବା ସାମରିକ ଅପରେସନ ତମାମ ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ବନ୍ଦ କରିନଥିବା ବେଳେ କତାରର ମଧ୍ୟସ୍ଥତାରେ ଇସ୍ରାଏଲ 4 ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲା । ଶୁକ୍ରବାରଠାରୁ ଏହି ପ୍ରକ୍ରିୟା ଜାରି ରହିଛି । ପରେ ଏହି ମଧ୍ୟସ୍ଥତା କ୍ରମରେ ଇଜିପ୍ଟ ମଧ୍ୟ ସାମ୍ନାକୁ ଆସିଛି । ହମାସ ଆତଙ୍କୀମାନେ ପଣବନ୍ଦୀ ଇସ୍ରାଏଲୀ ଓ ବିଦେଶୀ ନାଗରିକଙ୍କୁ ରେଡକ୍ରସ ଜରିଆରେ ହସ୍ତାନ୍ତର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details