ତେଲ ଅଭିଭ:ଦୀର୍ଘ ୨ ମାସ ଧରି ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଦେଶ ମାତୃକା ପାଇଁ ବଳି ପଡିଛନ୍ତି ଇସ୍ରାଏଲ କେନ୍ଦ୍ରମନ୍ତ୍ରୀ ଇର୍ସନକୋଟଙ୍କ ପୁଅ ଗଲ୍ ମେର ଇର୍ସନକୋଟ । ସେ ଇସ୍ରାଏଲ ସେନା ବାହିନୀର ମିଲିଟାରୀ ଗ୍ରୁପ ମାଷ୍ଟର ସର୍ଜେଣ୍ଟ ପଦବୀରେ ରହି ଦେଶ ସେବା କରୁଥିଲେ । ଯୁଦ୍ଧ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଯୁଦ୍ଧରେ ଶୁକ୍ରବାର ୨ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ସାମିଲ ଥିବା ଜଣାପଡ଼ିଛି ।
ଇସ୍ରାଏଲ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଇର୍ସନକୋଟଙ୍କ ପୁଅ ମଧ୍ୟ ପିତାଙ୍କ ରାସ୍ତାକୁ ଅନୁସରଣ କରି ସେନା ବାହିନୀରେ ଯୋଗ ଦେଇଥିଲେ । ସେ ଇସ୍ରାଏଲ ସେନା ବାହିନୀର ମିଲିଟାରୀ ଗ୍ରୁପ ମାଷ୍ଟର ସର୍ଜେଣ୍ଟ ପଦବୀରେ ଥିଲେ । ତେବେ ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନ ବିରୋଧରେ ଇସ୍ରାଏଲର ଲଢେଇ ସମୟରେ ଦେଶବାସୀଙ୍କ ରକ୍ଷା ଲାଗି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲେ ମାଷ୍ଟର ସର୍ଜେଣ୍ଟ ଗଲ୍ ମେର ଇର୍ସନକୋଟ । ଯୁଦ୍ଧ ବେଳେ ତାଙ୍କୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲକୁ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଗଲ୍ ମେରଙ୍କ ବୟସ ମାତ୍ର ୨୫ ବର୍ଷ ଥିଲା ।
ଏହା ବି ପଢନ୍ତୁ- ସରିଲା ଅସ୍ତ୍ରବିରତି: ଇସ୍ରାଏଲ-ହମାସରେ ଶୁଭିଲା ସାଇରନ, 24 ଘଣ୍ଟାରେ ଗାଜାରେ 178 ମୃତ