ବାଗଦାଦ:ମଧ୍ୟପ୍ରାଚ୍ୟ ଦେଶ ଇରାକରେ ଦେଖିବାକୁ ମିଳିଛି ରାଜନୈତିକ ଅସ୍ଥିରତା । ପ୍ରଧାନମନ୍ତ୍ରୀ ନିର୍ବାଚନ ନାମାଙ୍କନ ନେଇ ରାଜଧାନୀ ବାଗଦାଦରେ ପ୍ରତିବାଦ ଜାରି ରହିଥିବା ବେଳେ ଆଜି ପୁଣି ଥରେ ଆନ୍ଦୋଳନକାରୀମାନେ ସଂସଦ ଉପରେ ଆକ୍ରମଣ କରିଛନ୍ତି । ଦେଶରେ ଆନ୍ଦୋଳନ କରୁଥିବା ସିହା ସଂଗଠନର ନେତା ମୁକତାଦା ଅଲ ସଦରଙ୍କ ସମର୍ଥକଙ୍କ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । ତେବେ ଗତ ୭୨ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ସଂସଦରେ ପ୍ରବେଶ କରିଛନ୍ତି ଆନ୍ଦୋଳନକାରୀ ।
ହଜାର ହଜାର ବିକ୍ଷୋଭକାରୀ ହାତରେ ଇରାକର ଜାତୀୟ ପତାକା ଧରି ସଂସଦ ବିଲ୍ଡିଂ ମଧ୍ୟକୁ ପ୍ରବେଶ କରିଥିଲେ । ସେମାନେ ନାରା ଦେବା ସହ ସଂସଦ ଭବନରେ ଭଙ୍ଗାରୁଜା ମଧ୍ୟ କରିଥିଲେ । ଉକ୍ତ ସମୟରେ କୌଣସି ଜନପ୍ରତିନିଧି ନଥିବାରୁ କେହି ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇନାହାନ୍ତି । କିନ୍ତୁ ସଂସଦ ବିଲ୍ଡିଂରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ ।