ୱାଶିଂଟନ:ଆମେରିକା ପୋଲିସ ହେପାଜତରେ ଅଛନ୍ତି ୯୬ ହଜାର ୯୧୭ଜଣ ଭାରତୀୟ । ଆମେରିକା ସୀମାରେ ବେଆଇନ ଭାବେ ପ୍ରବେଶ କରିଥିବା ଏହି ଭାରତୀୟଙ୍କୁ ଆମେରିକା ପୋଲିସ ଅଟକ ରଖିଛି । ବର୍ଷକ ମଧ୍ୟରେ ପାଖାପାଖି ୯୭ ହଜାର ଭାରତୀୟ ଅବାଧ ପ୍ରବେଶ କରିଥିବା ଜଣାପଡିଛି । ବିଭିନ୍ନ କାରଣରୁ ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଭାରତୀୟମାନେ ଏଭଳି ଅବାଧ ପ୍ରବେଶ ଅଭିଯୋଗରେ ଆମେରିକୀୟ ସେନା ଦ୍ବାରା ଗିରଫ ହୋଇଥିବା ଦର୍ଶାଯାଇଛି । ଅଧିକାଂଶ ଭାରତୀୟ ଧରାପଡ଼ିବା ପରେ ସେମାନେ ନିଜ ଦେଶରେ ଅସୁରକ୍ଷିତ ଥିବାରୁ ପଳାୟନ କରି ଆସିଥିବା କହିଛନ୍ତି ସିନେଟର ଜେମ୍ସ ଲେକୋଫୋର୍ଡ ।
ଅବାଧ ପ୍ରବେଶ କରିବାକୁ ଯାଉଥିବା ସମୟରେ ଭାରତୀୟଙ୍କୁ କାବୁ କରିଛି ଆମେରିକା ସୀମା ସୁରକ୍ଷା ଏଜେନ୍ସି । ସୂଚନା ଅନୁସାରେ, ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ପ୍ରାୟ ୯୬ ହଜାର ୯୧୭ଜଣ ବେଆଇନ ପ୍ରବେଶ କରିଛନ୍ତି । ଏଜେନ୍ସି ତରଫରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୨୦୧୯-୨୦ରେ ୧୯ହଜାର ୮୮୩ଜଣ ଭାରତୀୟଙ୍କୁ ବେଆଇନ ପ୍ରବେଶ ମାମଲାରେ ଗିରଫ କରାଯାଇଥିଲା । ସେହିପରି ୨୦୨୦-୨୧ରେ ୩୦ହଜାର ୬୬୨ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା । ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ଅବାଧ ପ୍ରବେଶ ଅଭିଯୋଗରେ ୯୬ ହଜାର ୯୧୭ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୩୦ହଜାର ୧୦ଜଣ କାନାଡା ସୀମା ଏବଂ ୪୧ ହଜାର ୭୭୦ଜଣ ଭାରତୀୟ ମେକ୍ସିକୋ ସୀମାରେ ପ୍ରବେଶ ସମୟରେ ଧରାପଡିଛନ୍ତି ।