ସିଙ୍ଗାପୁର:ସିଙ୍ଗାପୁରର ନବମ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଭବ ଥର୍ମନ ଶନମୁଗରତ୍ନମ । ବିଶିଷ୍ଟ ଅର୍ଥନୀତିଜ୍ଞ ଥର୍ମନ ଶନମୁଗରତ୍ନମ ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଆସନ୍ତା 6 ବର୍ଷ ପାଇଁ ରାଷ୍ଟ୍ରପତି ଦାୟିତ୍ବ ତୁଲାଇବେ । ସିଙ୍ଗାପୁରର ରାଷ୍ଟ୍ରପତି ପଦରେ ବିଜୟୀ ହେବାରେ ଥର୍ମନ ଶନମୁଗରତ୍ନମ ତୃତୀୟ ଭାରତୀୟ । ଶୁକ୍ରବାର ଏଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 27 ଲକ୍ଷରୁ ଊର୍ଦ୍ଧ୍ବ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ । ରାତି 8ଟା ପରେ ମତଦାନ ଶେଷ ହେବା ପରେ ଭୋଟ ଗଣତି ହୋଇଥିଲା । ଏହାପରେ 70 ପ୍ରତିଶତରୁ ଅଧିକ ଭୋଟରେ ଶନମୁଗରତ୍ନମ ବିଜୟୀ ହୋଇଥିବା ସିଙ୍ଗାପୁର ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ଘୋଷଣା ହୋଇଥିଲା ।
ରାଷ୍ଟ୍ରପତି ନିର୍ବାଚନ ଦୌଡରେ 3 ଜଣ ପ୍ରାର୍ଥୀ ରହିଥିଲେ । ଥର୍ମନ ଶନମୁଗରତ୍ନମଙ୍କ ବ୍ୟତିତ ଅନ୍ୟ ଦୁଇ ଜଣ ହେଉଛନ୍ତି ଏନଜି କୋକ ସଙ୍ଗ ଓ ଟ୍ୟାନ କିନ ଲିୟାମ । ଏନଜି କୋକ ସଙ୍ଗ ଏକ ସରକାରୀ କମ୍ପାନୀର ପୂର୍ବତନ ପୁଞ୍ଜିନିବେଶକାରୀଙ୍କ ମୁଖ୍ୟ ଥିଲେ ଓ ଟ୍ୟାନ କିନ ଲିୟାମ ସରକାରୀ ବିମା କମ୍ପାନୀର ମୁଖ୍ୟ ଥିଲେ । ଏହି ଦୁଇ ପ୍ରତିଦ୍ବନ୍ଦି ପ୍ରାର୍ଥୀଙ୍କୁ ପଛରେ ପକାଇ ସିଙ୍ଗାପୁରର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଥର୍ମନ ଶନମୁଗରତ୍ନମ। ସେ ପିପପଲ୍ସ ଆକ୍ସନ ପାର୍ଟିରୁ ନିର୍ବାଚନ ଲଢିଥିଲେ ।
ଏହା ମଧ୍ୟ ପଢନ୍ତୁ-ବୈଭବ ତନେଜା ଟେସଲାର ନୂଆ ସିଏଫଓ
2002ରେ ରାଜନୀତିରେ ପ୍ରବେଶ କରିଥଲେ ଥର୍ମନ ଶନମୁଗରତ୍ନମ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ପିପୁଲ୍ସ ଆକ୍ସନ ପାର୍ଟି ସହ ସରକାରୀ କ୍ଷେତ୍ରରେ ଓ ମନ୍ତ୍ରୀ ପଦରେ କାର୍ଯ୍ୟ କରିଛନ୍ତି । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ମଧ୍ୟ ରହିଛନ୍ତି ଥର୍ମନ ଶନମୁଗରତ୍ନମ । ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆସନ୍ତା ସେପ୍ଟେମ୍ବର 13 ତାରିଖରେ ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ଶେଷ ହେବ । ସେ ଦେଶର ଅଷ୍ଟମ ଏବଂ ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ ।
ବର୍ଷ ବର୍ଷ ଧରି ଥର୍ମନ ଶନମୁଗରତ୍ନମଙ୍କ ପରିବାର ସିଙ୍ଗାପୁରରେ ରହିଆସୁଛନ୍ତି । ସେ 1957 ଫେବୃଆରୀ 25ରେ ସିଙ୍ଗାପୁରରେ ଜନ୍ମ ଗ୍ରହଣ କରିଥିଲେ । ଶନମୁଗରତ୍ନମଙ୍କ ପିତା ହେଉଛନ୍ତି ଏମିରିଟସ୍ ପ୍ରଫେସର କେ ଶନମୁଗରତ୍ନମ । ସିଙ୍ଗାପୁରରେ ତାଙ୍କୁ ଫାଦର ଅଫ ପାଥୋଲୋଜି ବୋଲି କୁହାଯାଏ । ସେ ସିଙ୍ଗାପୁରରେ କର୍କଟ ରେଜିଷ୍ଟ୍ରି ପ୍ରତିଷ୍ଠା କରିଥିଲେ ଏବଂ କର୍କଟ ଅନୁସନ୍ଧାନ ଏବଂ ପାଥୋଲୋଜି ସହ ଜଡିତ ଅନେକ ଆନ୍ତର୍ଜାତୀୟ ସଂଗଠନର ନେତୃତ୍ୱ ମଧ୍ୟ ନେଇଥିଲେ।
2011 ରୁ 2019 ମଧ୍ୟରେ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ଥର୍ମନ ଶନମୁଗରତ୍ନମ । ଏହାପରେ 2019 ରୁ 2023 ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଜୁଲାଇ 2023 ରେ ସିଙ୍ଗାପୁରର ଶାସକ ପିପୁଲ୍ସ ଆକ୍ସନ୍ ପାର୍ଟି (PAP) ତରଫରୁ ତାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।