ନୂଆଦିଲ୍ଲୀ:ଦୁଇ ମାସ ହେଲାଣି ଇସ୍ରାଏଲ ଓ ହମାସ୍ ମଧ୍ୟରେ ଜାରି ରହିଛି ଲଢେଇ । ହମାସ୍କୁ ମୁହଁତୋଡ ଜବାବ ଦେବାକୁ ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଇଲ ସେନା । ଯାହାଫଳରେ ଗାଜାରେ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଂଘାତିକ ମାବନୀୟ ସଙ୍କଟ ସୃଷ୍ଟି ହୋଇଛି । ତେଣୁ ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ମଙ୍ଗଳବାର ଜାତିସଂଘ ମହାସଭାରେ (UNGA) ଏକ ଚିଠା ପ୍ରସ୍ତାବ ଆସିଥିଲା । ଏଥିରେ ଗାଜାରେ ଅସ୍ତ୍ରବିରତି ସହିତ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ପାଇଁ ଦାବି କରାଯାଇଥିଲା । ଏହି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍ ଦେଇଛି । ଯେତେବେଳେ କି ଆମେରିକା ଅସ୍ତ୍ରବିରତି ବିପକ୍ଷରେ ମତଦାନ କରିଥିଲା ।
ମଙ୍ଗଳବାର ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ମହାସଭାର ଏକ ଜରୁରୀକାଳୀନ ସ୍ବତନ୍ତ୍ର ଅଧିବେଶନରେ ଗାଜାରେ ଅସ୍ତ୍ରବିରତି ନେଇ ଏକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ଅଲଜିରିୟା, ବାହାରିନ, ଇରାକ, କୁୱେତ୍, ଓମାନ, କତାର, ସାଉଦି ଆରବ, ୟୁଏଇ, ପାଲେଷ୍ଟାଇନ୍ ଭଳି କେତେକ ଦେଶ ଗାଜାରେ ତୁରନ୍ତ ମାନବୀୟ ଅସ୍ତ୍ରବିରତି ଓ ବନ୍ଧକମାନଙ୍କ ନିଃସର୍ତ୍ତ ମୁକ୍ତି ଦାବି କରି ଉକ୍ତ ପ୍ରସ୍ତାବ ଆଣିଥିଲେ । ୧୯୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଭାରତ, ଫ୍ରାନ୍ସ, ଚୀନ ସମେତ ୧୫୩ଟି ଦେଶ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ଆମେରିକା, ଅଷ୍ଟ୍ରିଆ, ଇସ୍ରାଏଲ, ପପୁଆ ନିଉ ଗିନି ଆଦି ୧୦ଟି ଦେଶ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ସେହିପରି ୟୁକ୍ରେନ, ଜର୍ମାନୀ, ଆର୍ଜେଣ୍ଟିନା ଆଦି ୨୩ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ । ତେବେ ଉକ୍ତ ପ୍ରସ୍ତାବରେ କେଉଁଠି ବି ହମାସ୍ ନାଁ ଉଲ୍ଲେଖ କରାଯାଇନଥିଲା ।