ଜେନେଭା:ସ୍ବିଡେନରେ ପବିତ୍ର କୁରାନ ପୋଡ଼ି ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି । ପାକିସ୍ତାନ କୁରାନ ଜାଳିବା ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରେ ଧାର୍ମିକ ଘୃଣା ରୋକିବାକୁ ଏକ ପ୍ରସ୍ତାବ ଆଣିଥିଲା । ଉକ୍ତ ଡ୍ରାଫ୍ଟ ପ୍ରସ୍ତାବକୁ ବୁଧବାର ଅନୁମୋଦନ କରାଯାଇଛି । ହେଲେ ବଡ କଥା ହେଉଛି, ପାକିସ୍ତାନର ଏହି ପ୍ରସ୍ତାବକୁ ଭାରତ ଜାତିସଂଘରେ ସମର୍ଥନ ଦେଇଛି । ଯେତେବେଳେ କି, ଆମେରିକା ପ୍ରସ୍ତାବର ବିରୋଧରେ ରହିଛି ।
ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦ(UNHRC) ପକ୍ଷରୁ କୁହାଯାଇଛି, ୫୭ ଇସଲାମିକ ରାଷ୍ଟ୍ର ସମୂହ ଓଆଇସି ପକ୍ଷରୁ ପାକିସ୍ତାନ ଜାତିସଂଘରେ ଧାର୍ମିକ ଘୃଣା ସହ ଜଡିତ ପ୍ରସ୍ତାବ ଉପସ୍ଥାପନ କରିଥିଲା । କିଛି ୟୁରୋପୀୟ ଏବଂ ଅନ୍ୟ ରାଷ୍ଟ୍ର ପବିତ୍ର କୋରୋନକୁ ଅପମାନିତ କରାଯିବା ଘଟଣାର ନିନ୍ଦା କରିଥିଲେ । ମାନବାଧିକାର ସୁରକ୍ଷା ପରିଷଦରେ ଏହି ପ୍ରସ୍ତାବକୁ ୪୭ ସଦସ୍ୟ ଦେଶ ମଧ୍ୟରୁ ୧୨ଟି ଦେଶ ବିରୋଧ କରିଥିଲେ । ଏହି ଦେଶଗୁଡିକ ମଧ୍ୟରେ ଆମେରିକା, ବ୍ରିଟେନ, ବେଲଜିୟମ, ଜର୍ମାନୀ, ରୋମାନିଆ, ଲିଥୁଆନିୟା, କୋଷ୍ଟାରିକା ଏବଂ ଫିନଲ୍ୟାଣ୍ଡ ସାମିଲ ଥିଲେ । କିନ୍ତୁ ଭାରତ ଏବଂ ଚୀନ ସମେତ ସମୁଦାୟ ୨୮ଟି ଦେଶ ପାକିସ୍ତାନର ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ । ନେପାଳ ସହ ୭ଟି ଦେଶରେ ଭୋଟଦାନରୁ ବିରତ ରହିଥିଲେ ।