ନୂଆଦିଲ୍ଲୀ:ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ପାକିସ୍ତାନର ମୁଖା ଖୋଲିଛନ୍ତି ଏସ୍ ଜୟଶଙ୍କର । ପାକିସ୍ତାନ ଆତଙ୍କବାଦର କେନ୍ଦ୍ରସ୍ଥଳ ବୋଲି ଜୟଶଙ୍କରଙ୍କ ମନ୍ତବ୍ୟରେ ବିଳିବିଳେଇଛନ୍ତି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ(Pakistan Foreign Minister Bilawal Bhutto) । ଭାରତକୁ ଜବାବ ଦେବାକୁ ଯାଇ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ଆକ୍ଷେପ କରିଛନ୍ତି । ସେ କହିଛନ୍ତି, ''ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ ଏବେ ମୃତ । ହେଲେ ଗୁଜୁରାଟର କଂସେଇ ଏବେ ବି ଜୀବିତ(butcher of Gujarat lives) ଏବଂ ସେ ଏବେ ଭାରତର ପ୍ରଧାନମନ୍ତ୍ରୀ ।'' ପାକ୍ ମନ୍ତ୍ରୀଙ୍କ ଏପରି ଆଶାଳୀନ ମନ୍ତବ୍ୟକୁ ନେଇ ଏବେ ଭାରତରେ ଝଡ ସୃଷ୍ଟି ହୋଇଛି ।
ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ କରି ପାକ୍ ବିଦେଶ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ଭାରତ କଡା ନିନ୍ଦା କରିଛି । ଶୁକ୍ରବାର ବିଜେପି ପକ୍ଷରୁ ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭକାରୀମାନେ ହାତରେ ପ୍ଲାକାର୍ଡ ଧରି ପାକିସ୍ତାନ ହାଏ ହାଏ ଓ ବିଲାୱଲ ଭୁଟ୍ଟୋ କ୍ଷମା ମାଗ ବୋଲି ନାରାବାଜି କରିଛନ୍ତି । ସେହିପରି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ''ଓସାମା ବିନ ଲାଡେନକୁ ଶହୀଦ ଭାବେ ସମ୍ମାନ ଦେଉଥିବା ପାକିସ୍ତାନ ଲଖଭି, ହାଫିଜ ସଇଦ, ମାସୁଦ ଅଜହର, ସାଜିବ ମିର୍ ଓ ଦାଉଦ ଇବ୍ରାହିମକୁ ଆଶ୍ରୟ ଦେଇଛି । ଅନ୍ୟ କୌଣସି ଦେଶ ଜାତିସଂଘ ଦ୍ବାରା ଘୋଷିତ ୧୨୭ ଜଣ ଆତଙ୍କବାଦୀ ଓ ୨୭ଟି ଆତଙ୍କବାଦୀ ସଂଗଠନକୁ ଏଭଳି ଆଶ୍ରୟ ଦେଇନାହାନ୍ତି । ମୋଦିଙ୍କ ପ୍ରତି ପାକ୍ ମନ୍ତ୍ରୀ ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ନିଜର ନୀଚ ମାନସିକତାକୁ ପ୍ରମାଣିତ କରିଛନ୍ତି ।''