ନୂଆଦିଲ୍ଲୀ:ଚୀନରେ ବ୍ୟାପିବାରେ ଲାଗିଛି ନିମୋନିଆ । ବିଶେଷ ଭାବେ ଉତ୍ତର ଚୀନରେ ଗତ କିଛି ଦିନ ମଧ୍ୟରେ ସଂକ୍ରମଣ ମାତ୍ରାଧିକ ବୃଦ୍ଧି ପାଇଛି । ବିଶେଷ ଭାବେ ଶିଶୁମାନେ ଏଥିରେ ଆକ୍ରାନ୍ତ ହୋଇ ଶ୍ବାସକ୍ରିୟାଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚୀନରେ ଦେଖାଯାଇଥିବା ସ୍ଥିତି ଉପରେ ଭାରତ ପକ୍ଷରୁ କଡା ନଜର ରଖାଯାଇଛି । ବର୍ତ୍ତମାନର ସ୍ଥିତି ଭାରତ ପାଇଁ ଚିନ୍ତାଜନକ ନୁହେଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏହା ସହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରସ୍ତୁତି ଗାଇଡଲାଇନ ଜାରି କରିଛି । ଚିନ୍ତିତ ନହୋଇ କୌଣସି ସ୍ଥିତିର ମୁକାବିଲା ପାଇଁ ସ୍ବାସ୍ଥ୍ୟସେବାକୁ ପ୍ରସ୍ତୁତ ରଖିବା ନେଇ ଏକାଧିକ ଦିଗକୁ ଏଥିରେ ଗୁରୁତ୍ବ ଦିଆଯାଇଛି ।
ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟଗୁଡିକ ଜନସ୍ବାସ୍ଥ୍ୟ ଓ ହସ୍ପିଟାଲରେ ସମସ୍ତ ପୂର୍ବ ପ୍ରସ୍ତୁତି କରିବାକୁ ପରାମର୍ଶରେ କୁହାଯାଇଛି । ଇନଫ୍ଲୁଏଞ୍ଜା ଟିକାର ଉପଲବ୍ଧତା, ହସ୍ପିଟାଲରେ ଜରୁରୀ ସ୍ଥିତି ମୁକାବିଲା କରିବା ପାଇଁ ମାନବ ସମ୍ବଳ, ମେଡିକାଲ ବେଡ, ଆବଶ୍ୟକୀୟ ଔଷଧ, ଟେଷ୍ଟିଂ କିଟ୍, ଅକ୍ସିଜେନ ଓ ଅନ୍ୟ ଚିକିତ୍ସା ଉପକରଣ ସଠିକ୍ ମାତ୍ରାରେ ମହଜୁଦ ରଖିବା ପାଇଁ କେନ୍ଦ୍ର କହିଛି । ସେହିପରି ଏହି ପୂର୍ବ ପ୍ରସ୍ତୁତିରେ ମଧ୍ୟ କିଛି କଟକଣା ଜାରି ହେବାକୁ ଯାଉଛି । ଗତବର୍ଷ ସରକାରଙ୍କ କୋଭିଡ ସଂଶୋଧିତ ଗାଇଡଲାଇନକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।
ମନ୍ତ୍ରଣାଳୟ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ, ବିଶ୍ବ ସାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ, ଭାରତ ପକ୍ଷରୁ ଚୀନରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଗମ୍ଭୀରତାର ସହ ନଜର ରଖାଯାଇଛି । ଏବେ ଏହାର ପ୍ରଭାବରେ ଭାରତରେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । କେବଳ ଆବଶ୍ୟକ ପ୍ରସ୍ତୁତି କରିବାକୁ ହେବ । ସ୍ଥିତିକୁ ଦେଖି ପରବର୍ତ୍ତୀ ଗାଇଡଲାଇନ୍ ଜାରି କରାଯାଇପାରେ ।