ଓ୍ବାଶିଂଟନ:ଜି 20 ସମ୍ମିଳନୀରେ ପାରିତ ହୋଇଥିବା ଭାରତ-ମଧ୍ୟପ୍ରାଚ୍ୟ ପୂର୍ବ-ଉରୋପୀୟ ଅର୍ଥନୈତିକ କରିଡର ଯୋଜନା ଇସ୍ରାଏଲ ଉପରେ ହୋଇଥିବା ‘ହମାସ’ର ଆକ୍ରମଣର ସମ୍ଭାବ୍ୟ କାରଣ ହୋଇଥାଇପାରେ । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହମାସ ଆକ୍ରମଣ ନେଇ ଏପରି ଏକ ଆଶଙ୍କା ମଧ୍ୟ ଜାହିର କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଇସ୍ରାଏଲ ସମେତ ଉକ୍ତ କ୍ଷେତ୍ରରେ ବିକାଶ ହେବାକୁ ଯାଉଛି । ଯାହାକୁ ନେଇ ହମାସ ବିରୋଧ କରୁଥାଇପାରେ । ତେଣୁ ଏହି ଆକ୍ରମଣ କରି ଥାଇପାରେ ବୋଲି ବାଇଡେନ କହିଛନ୍ତି ।
ଆଜି ଆମେରିକା ଗସ୍ତରେ ଥିବା ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବିନେଜଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବାଇଡେନ । କହିଛନ୍ତି, ଏହି କାରଣକୁ ସେ ଆକ୍ରମଣର ଅନ୍ୟତମ କାରଣ ଭାବେ ଆଶଙ୍କା କରୁଛନ୍ତି । ମାତ୍ର ସେ ଏହାକୁ ନେଇ ନିଶ୍ଚିତ ନୁହନ୍ତି । ଏହି ପ୍ରକଳ୍ପ ଫଳରେ ଇସ୍ରାଏଲର ଏକତ୍ରୀକରଣ ସାଙ୍ଗକୁ ସମଗ୍ର ଅଞ୍ଚଳରେ ଅର୍ଥନୈତିକ ବିକାଶ ହେବ । ଯାହାକୁ ନେଇ ହମାସ ଉତକ୍ଷିପ୍ତ ଥାଇପାରେ । ତେବେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆମେରିକା ସର୍ବାଧିକ ସକ୍ରିୟ ନଜର ଆସିଛି । ଏକାଧିକ ସଚିବଙ୍କ ସମେତ ରାଷ୍ଟ୍ରପତି ବାଇଡେନ ନିଜେ ମଧ୍ୟ ଇସ୍ରାଏଲ ଗସ୍ତ କରିସାରିଛନ୍ତି ।