ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ, ଗାଦିଚ୍ୟୁତ ହୋଇଥିବା ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ସଙ୍କଟ ପୁଣି ଥରେ ବଢିଛି । ବିଦେଶୀ ପାଣ୍ଠି ହାତେଇବା ମାମଲାରେ ଆଜି (ସୋମବାର) ତାଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି । ଏହି ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ପାକିସ୍ତାନ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ସମସ୍ତ ପ୍ରସ୍ତୁତି ଶେଷ କରିସାରିଥିବା କିଛି ପାକିସ୍ତାନୀ ଗଣମାଧ୍ୟମ ସହ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ କରିଛନ୍ତି ।
ବିଶେଷ ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ, କେନ୍ଦ୍ରୀୟ ସଂସ୍ଥା ଏଫଆଇଏ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଲାହୋର ପୋଲିସର ସହଯୋଗ ନେଇପାରେ । ଏହି ଗିରଫଦାରୀ ପାଇଁ ପ୍ରାୟତଃ ପ୍ରସ୍ତୁତି ଶେଷ ହୋଇଛି । ଏକାଧିକ ଟିମ ମଧ୍ୟ ଗଠନ ହୋଇସାରିଛି । ଫେବୃଆରୀ 2 ତାରିଖରେ ଇସଲାମାବାଦ ହାଇକୋର୍ଟ ନିଷେଧ ବିଦେଶୀ ପାଣ୍ଠି ମାମଲାରେ ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଇମ୍ରାନଙ୍କ ଦଳ କରିଥିବା ମାମଲାକୁ ଖାରଜ କରିଦେଇଥିଲା । ଏହା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଏଫଆଇଏ) ଇମ୍ରାନଙ୍କ ସମେତ ମୋଟ 10 ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ତେବେ ଏହି ଗିରଫଦାରୀ କୌଣସି ପରିସ୍ଥିତିରେ ହୋଇପାରେ । ଏହା ପୂର୍ବରୁ ଇମ୍ରାନ ଖାନ ଶକ୍ତି ପ୍ରଦର୍ଶନ କରିବା ସହ ଆଗୁଆ କୋର୍ଟରେ ହାଜର ହେବା ନେଇ ଅନୁମାନ କରାଯାଉଥିବା ବେଳେ ଇମ୍ରାନଙ୍କ କ୍ୟାମ୍ପରୁ ସେପରି କିଛି ସୂଚନା ମିଳିନି ।