ଇସଲାମବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବଢିଲା ମୁସ୍କିଲ । ତୋଷାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଇମ୍ରାନ ଖାନ । ପାକିସ୍ତାନର ଏକ ଟ୍ରାଏଲ କୋର୍ଟ ପିଟିଆଇ ନେତା ଇମ୍ରାନଙ୍କୁ ତୋଷାଖାନା ମାମଲାରେ ୩ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି । ଜେଲ୍ ସହ ୧ ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ମଧ୍ୟ ମିଳିଛି । କୋର୍ଟଙ୍କ ରାୟ ପରେ ଇମ୍ରାନ ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢି ପାରିବେ ନାହିଁ । ଆଗାମୀ ୫ ବର୍ଷ ଯାଏଁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଉପରେ କୋର୍ଟ ରୋକ୍ ଲଗାଇଛନ୍ତି । ଏହି ରାୟ ପ୍ରକାଶ ପରେ ଇସଲାମବାଦ ପୋଲିସ ତାଙ୍କ ଗିରଫଦାରୀ ୱାରେଣ୍ଟ ଜାରି କରିଛି ।
ଅନ୍ୟପଟେ ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ଦାବି କରିଛି ଯେ, ଇମ୍ରାନ ଖାନଙ୍କୁ ତାଙ୍କର ଲହୋର ସ୍ଥିତ ଜମାନ ପାର୍କ ବାସଭବନରୁ ଗିରଫ କରାଯାଇଛି । ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ଜେଲଦଣ୍ଡ ନେଇ ପାକିସ୍ତାନରେ ବଢିଛି ରାଜନୈତିକ ତାତି । ଇମ୍ରାନଙ୍କ ବାସଭବନ ବାହାରେ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଜମାନ ପାର୍କ ରୋଡରେ ୟାତାୟତ ବନ୍ଦ କରିଦିଆଯାଇଛି । ସମସ୍ତ ସଭା ଓ ପ୍ରଦର୍ଶନକୁ ବାରଣ କରାଯାଇଛି ।
ଟ୍ରାଏଲ କୋର୍ଟ ବିଚାରପତି ହୁମାୟୁନ ଦିଲାୱର ଶୁଣାଣି ବେଳେ କହିଛନ୍ତି ଯେ, ତୋଷାଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କ ବିରୋଧରେ ଦାଖଲ ଚାର୍ଜସିଟ୍ ପ୍ରମାଣିତ ହୋଇଛି । ସେ ପାକିସ୍ତାନ ନିର୍ବାଚନ କମିଶନଙ୍କ ନିକଟରେ ମିଥ୍ୟା ତଥ୍ୟ ଦାଖଲ କରିଥିଲେ । ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଇମ୍ରାନ ଖାନକୁ ୩ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଜରିମାନା ଦଣ୍ଡ ମିଳିଛି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ।