ହାଇଦ୍ରାବାଦ:ପାକିସ୍ତାନରେ ଲାଗି ରହିଥିବା ହାଇଡ୍ରାମା ମଧ୍ୟରେ କୋର୍ଟରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ । ଗିରଫ ହେବେନି ଇମ୍ରାନ ଖାନ । ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନକରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲିଠାରୁ ଇମ୍ରାନଙ୍କ ବାସଭବନ ପୋଲିସ କବଜାରେ ରହିଛି । ସମର୍ଥକ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟରେ ତାଙ୍କୁ କୌଣସି ସମୟରେ ଗିରଫ କରାଯିବା ନେଇ ଅନୁମାନ କରାଯାଉଥିବା ବେଳେ କୋର୍ଟ ତାଙ୍କୁ ଆସନ୍ତାକାଲି ସକାଳ 10ଟା ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ।
ଗତକାଲିଠାରୁ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଅପରେସନ ଜାରି ରଖିଛି । ହେଲେ ହଜାର ହଜାର ପିଟିଆଇ କର୍ମୀ ତାଙ୍କ ବାସଭବନ ବାହାରେ ଏକାଠି ହେବା ସହ ସେହେଓ୍ବାଜ ସରିଫ ସରକାର ବିରୋଧରେ ନାରାବାଜୀ କରିଥିଲେ । ପୋଲିସକୁ ସେମାନେ ଇମ୍ରାନଙ୍କ ଘରେ ପ୍ରବେଶ କରିବାକୁ ମଧ୍ୟ ରୋକିଛନ୍ତି । ଫଳରେ ପୋଲିସ ଓ ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଲାଗି ରହିଛି । ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ଟିଅର ଗ୍ୟାସ, ପାଣି ସ୍ପ୍ରେ ଓ ଗୁଳି ମଧ୍ୟ ଚଳାଇଥିଲା । ଏହି ମାମଲାରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଇମ୍ରାନ । ତାଙ୍କୁ ଆସନ୍ତକାଲି ପୂର୍ବାହ୍ନ 10 ଯାଏଁ ଗିରଫ ନକରିବା ପାଇଁ କୋର୍ଟଙ୍କ ପକ୍ଷରୁ ପୋଲିସକୁ ନିର୍ଦ୍ଦେଶ ମିଳିଛି ।