ଲାହୋର : ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେବେ ନିକଟରେ ହୋଇଥିବା ଏକ ସର୍ଭେ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ ପିଟିଆଇ ପାକିସ୍ତାନରେ ବର୍ତ୍ତମାନ ସର୍ବାଧିକ ଲୋକପ୍ରିୟ ଥିବା ଜଣାପଡିଛି । ଦ ନ୍ୟୁଜ ରିପୋର୍ଟ ଅନୁସାରେ ପାକିସ୍ତାନର ବିଭିନ୍ନ ରାଜନୈତିକ ଦଳ ଏବଂ ନେତା ମାନଙ୍କୁ ନେଇ ହୋଇଥିବା ସର୍ଭେରେ ପଞ୍ଜାବ ରାଜ୍ୟରେ ପୂର୍ବରୁ ପିଟିଆଇ ଓ ପିଏମଏଲ-ଏନ ମଧ୍ୟରେ ଲୋକପ୍ରିୟତା ମାମଲାରେ ବଡ ଅନ୍ତର ଥିଲା । କିନ୍ତୁ ବର୍ତ୍ତମାନ ଏହା ୧୫ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତକୁ ଖସିଆସିଛି ।
ଏହି ସର୍ଭେ ମୁତାବକ ସମଗ୍ର ଦେଶରେ ପିଟିଆଇ ଦଳର ବର୍ତ୍ତମାନ ଥିବା ଲୋକପ୍ରିୟତା , ୨୦୧୮ ମସିହାର ସାଧାରଣ ନିର୍ବାଚନ ସମୟରେ ଥିବା ଲୋକପ୍ରିୟତା ଠାରୁ ଅଧିକ ରହିଛି । ସେହିପରି ପିଏମଏଲ-ଏନ ଦଳର ଲୋକପ୍ରିୟତା ୨୦୧୮ ଠାରୁ କମିଯାଇଛି । ଦି ନ୍ୟୁଜ ର ରିପୋର୍ଟ ଅନୁସାରେ ଏପ୍ରିଲ ୨୦୨୨ ପରଠାରୁ ପଞ୍ଜାବରେ ପିଏମଏଲ-ଏନ ର ଲୋକପ୍ରିୟତାରେ ଲଗାତାର ସୁଧାର ଆସିଛି । ୮ ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଆଗାମୀ ପାଞ୍ଚ ସପ୍ତାହ ରାଜନୈତିକ ଦଳ ସମେତ ସାଧାରଣ ଜନତା ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ରାଜନୈତିକ ଦଳ ମାନଙ୍କ ନିର୍ବାଚନୀ ପ୍ରଚାର ଯେତେ ଜୋର ଧରିବ, ସେହି ଅନୁସାରେ ମତାଦାତାଙ୍କ ଭୋଟିଂ ର ସମୀକରଣ ମଧ୍ୟ ବଦଳିବ ।