ହାଇଦ୍ରାବାଦ:ପ୍ରାୟ ଦୁଇ ସପ୍ତାହ ଧରି ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ କରିବା ପରେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ ସେନା । ଗତକାଲି ରାତିରୁ ଇସ୍ରାଏଲ ସେନା ପକ୍ଷରୁ ଉତ୍ତର ଗାଜାରେ ଏହି ଅପରେସନ ଜାରି ରହିଛି । ଏଥିରେ ଇସ୍ରାଏଲ ସେନାର ସ୍ପେଶାଲ ୟୁନିଟ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିବା ସହ ହମାସ ଗୋଷ୍ଠୀ ଦ୍ବାରା ଅପହୃତ ହୋଇ ବନ୍ଧକ ଥିବା ଇସ୍ରାଏଲୀ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରିବାରେ ଲାଗିଛି । ଏନେଇ ଆଜି ଇସ୍ରାଏଲ ସେନା (ଆଇଡିଏଫ) ଅପରେସନ ସମ୍ପର୍କିତ ଭିଡିଓ ଫୁଟେଜ ସହ ଟ୍ବିଟ କରିଛି ।
ଆଇଡିଏଫ ଦ୍ବାରା ସେୟାର କରାଯାଇଥିବା ଫୁଟେଜରେ ଦେଖିବାକୁ ମିଳୁଛି ଯେ, ହମାସ ଆତଙ୍କୀଙ୍କ ଠିକଣାକୁ ଏହି ଅପରେସନରେ ଟାର୍ଗେଟ କରାଯାଉଛି । ଏକ କାରରେ କିଛି ବନ୍ଧୁକଧାରୀ ଯାଉଥିବା ବେଳେ ଇସ୍ରାଏଲ ସେନା ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ମାତ୍ର କିଛି ମିନିଟ୍ ମଧ୍ୟରେ ନିପାତ କରୁଛି । ଏହି କାରରେ ଥିବା ବନ୍ଧୁକଧାରୀମାନଙ୍କୁ ‘ହମାସ’ର ଆତଙ୍କବାଦୀ ଭାବେ ଇସ୍ରାଏଲ ସେନା ଦର୍ଶାଇଛି ।
ସେହିପରି ଅନ୍ୟ ଏକ ଭିଡିଓରେ ଇସ୍ରାଏଲ ସେନାର ଯବାନମାନେ ବନ୍ଧକ ଥିବା ଇସ୍ରାଏଲୀ ନାଗରିକଙ୍କୁ ଉଦ୍ଧାର କରିବାର ଦୃଶ୍ୟ ରହିଛି । ଏହା କୁହାଯାଉଛି ଯେ, ଚଳିତ 7 ତାରିଖରେ ହମାସ ଗୋଷ୍ଠୀ ଆକ୍ରମଣ କରିବା ପରେ ଏହି ଇସ୍ରାଏଲୀ ନାଗରିକମାନଙ୍କ ଉତ୍ତର ଗାଜା ନିକଟରୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସେମାନଙ୍କୁ ପଣବନ୍ଦୀ ଭାବେ ରଖି ଇସ୍ରାଏଲ ଉପରେ ଚାପ ପକାଇବାକୁ ପ୍ରୟାସ କରୁଥିଲା ହମାସ । ପ୍ରାୟ 150ରୁ ଅଧିକ ସାଧାରଣ ଇସ୍ରାଏଲୀ ନାଗରିକ ହମାସ ଦ୍ବାରା ବନ୍ଦୀ ଥିବା ଇସ୍ରାଏଲ ଦାବି କରିଛି । ଏବେ ଦେଖାଯାଉଥିବା ଭିିଡିଓରେ କିଛି ପଣବନ୍ଦୀଙ୍କୁ ଉଦ୍ଧାର କରାଯାଉଥିବାର ଭିଡିଓ ମଧ୍ୟ ଇସ୍ରାଏଲ ପକ୍ଷରୁ ସେୟାର କରାଯାଇଛି ।