ଓ୍ବାଶିଂଟନ:ପୁଣି ସୋସିଆଲ ମିଡିଆରେ ରାଜ କରିବେ ଟ୍ରମ୍ପ । ହଟିଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମାଜିକ ଗଣମାଧ୍ୟମ ଉପରକୁ ନିଷେଧାଦେଶ । ଦୀର୍ଘ ଦୁଇ ବର୍ଷ ପରେ ଫେସବୁକ ୟୁଟ୍ୟୁବ ଫେରିଲେ ଟ୍ରମ୍ପ । ଖୁସି ହୋଇ ଲେଖିଲେ ମୁଁ ପୁଣି ଫେରିଲି (ଆଇ ଏମ ବ୍ୟାକ୍!) ।
ଟ୍ରମ୍ପ ୧୨ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଉକ୍ତ ଭିଡିଓଟି ୨୦୧୬ ମସିହାରେ ନିର୍ବାଚନ ଜିତିବା ପରେ ବିଜୟ ଭାଷଣର । ତାଙ୍କର ପ୍ରସିଦ୍ଧ ମେକ ଆମେରିକା ଗ୍ରେଟ ଅଗେନ ସ୍ଲୋଗାନକୁ ସେ ଭିଡିଓରେ ଯୋଡିଛନ୍ତି । ତେବେ ସୂଚନାଅନୁସାରେ, ଫେବୃଆରୀ ମାସରେ ମେଟା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସଚଳ କରିଥିଲା । ମେଟାର ପଲିସି ନିର୍ଦ୍ଦେଶିକା ଆଣ୍ଡିଷ୍ଟୋନ ଏନେଇ ସୂଚନା ଦେଇଥିଲେ । କହିରଖୁଛୁ କି, ୨୦୨୧ ମସିହା ଜାନୁଆରୀ ୬ ତାରିଖରେ କ୍ୟାପିଟାଲ ଦଙ୍ଗା ଘଟଣା ପରେ ଟ୍ରମ୍ପଙ୍କ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମେଟା ବନ୍ଦ କରିଦେଇଥିଲା । ତା’ପରେ ଆନୁଷ୍ଠାନିକ ଭାବେ ଟ୍ରମ୍ପଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଦୁଇ ବର୍ଷ ବୃଦ୍ଧି କରାଯାଇଥିଲା ।
୨୦୨୧ରେ ଶେଷ ପୋଷ୍ଟ:୨୦୨୧ ମସିହା ଜାନୁଆରୀ ୬ ତାରିଖରେ ଟ୍ରମ୍ପ ଶେଷଥର ପାଇଁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । "ସେଭ ଆମେରିକା" ବୋଲି ଲେଖି ଟରମ୍ପ ଏକ ପୋଷ୍ଟ କରିଥିଲେ । ଯାହାକି ସେ ତାଙ୍କ ସମର୍ଥକଙ୍କୁ କ୍ୟାପିଟାଲ ଅଭିମୁଖେ ଯାତ୍ରା କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଇନଷ୍ଟାଗ୍ରାମରେ ଏହି ପୋଷ୍ଟକୁ ସେୟାର କରି ଟ୍ରମ୍ପ ଏହାର କ୍ୟାପସନ ଦେଇଥିଲେ, " ମୁଁ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏଲିପ୍ସରେ ସେଭ୍ ଆମେରିକା ରାଲିରେ କିଛି ଘୋଷଣା କରିବି.. ଆପଣ ଶୀଘ୍ର ପହଞ୍ଚନ୍ତୁ ।" ଅନ୍ୟପଟେ ନିଲମ୍ବନ ପୂର୍ବରୁ ଫେସବୁକରେ ଟ୍ରମ୍ପଙ୍କ ଶେଷ ପୋଷ୍ଟ କରି ଲୋକଙ୍କୁ କ୍ୟାପିଟାଲ ଛାଡିବାକୁ ଆହ୍ବାନ ଦେଇଥିଲେ । ସେ ଲେଖିଥିଲେ," ଆମେରିକାରେ ସମସ୍ତେ ଶାନ୍ତିରେ ରୁହନ୍ତୁ ବୋଲି ଚାହୁଁଛି । କୌଣସି ପ୍ରକାର ହିଂସା କର ନାହିଁ । ମନେରଖ ଆମେ କାନୁନ ଏବଂ ବ୍ୟବସ୍ଥା ତିଆରି କରୁଥିବା ପାର୍ଟି ।"