ବୈରୁଟ: ଆକ୍ରାମକ ହେଉଛି ଇସ୍ରାଏଲ । ସୋମବାର ଦକ୍ଷିଣ ଲେବାନନଠାରେ ହିଜାବୁଲ୍ଲାହ ସଂଗଠନର ଶୀର୍ଷ ସ୍ତରୀୟ କମାଣ୍ଡର ଓ୍ୱିସାମ ତାଓ୍ବିଲକୁ ନିପାତ କରିଛି ଇସ୍ରାଏଲ ସେନା । ଏନେଇ ଇରାନ ସମର୍ଥତ ହିଜାବୁଲ୍ଲାହ ସଂଗଠନ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । 3 ମାସର ସୀମା ସଂଘର୍ଷ ମଧ୍ୟରେ ପ୍ରଥମ ଥର ହିଜାବୁଲ୍ଲାହର ଜଣେ ଶୀର୍ଷ ସ୍ତରୀୟ କମାଣ୍ଡରର ମୃତ୍ୟୁ ହୋଇଥିବା ନେଇ କହିଛି ହିଜାବୁଲ୍ଲାହ । ତେବେ ଓ୍ୱିସାମଙ୍କ ମୃତ୍ୟୁ ଗାଜା ଓ ହିଜବୁଲ୍ଲାହ ପାଇଁ ସମସ୍ୟା ଆଣିପାରେ ।
ହିଜାବୁଲ୍ଲାହ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, "ଜେରୁସାଲେମଠାରେ କାରରେ ଯାଉଥିବା ବେଳେ ଇସ୍ରାଏଲ ଏୟାର ଷ୍ଟ୍ରାଇକ ହୋଇଥିଲା । ଏହି ଆକ୍ରମଣରେ ହିଜାବୁଲ୍ଲାହର ଶୀର୍ଷ ସ୍ତରର କମାଣ୍ଡର ଓ୍ୱିସାମ ତାଓ୍ବିଲଙ୍କ ମୃତ୍ୟୁ ହୋଇଛି ।" ହିଜାବୁଲ୍ଲାହ ପକ୍ଷରୁ ଓ୍ବିସାମଙ୍କ ଏକ ଫୋଟୋ ଜାରି କରାଯାଇଛି । ଯେଉଁଥିରେ ଇରାକର ଟପ୍ ଜେନେରାଲ କ୍ବାସେମ ସୋଲେଇମାନିଙ୍କ ଫଟୋ ରହିଛି ।
ହମାସ ପକ୍ଷରୁ ମଧ୍ୟ ଓ୍ୱିସାମଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି । ଓ୍ବିସାମଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛି ହମାସ । ଶତ୍ରୁ(ଇସ୍ରାଏଲ) ନେତାମାନଙ୍କୁ ଯେତେ ଟାର୍ଗେଟ କଲେ ବି ପ୍ରତିରୋଧ ବାହିନୀକୁ ରୋକିପାରିବ ନାହିଁ ବୋଲି କହିଛି ହମାସ ଆତଙ୍କୀ ସଂଗଠନ । ଇରାନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହାକୁ ଦୃଢ ନିନ୍ଦା କରାଯାଇଛି । ଇସ୍ରାଏଲର ଏହି ଆକ୍ରମଣ ଏକ ନିନ୍ଦନୀୟ ଆତଙ୍କୀ ଅପରେସନ ବୋଲି କହିଛନ୍ତି ଇରାନ ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ନାଜିର କନାନି ।