ଅବୁଜା: ଉତ୍ତର-କେନ୍ଦ୍ରୀୟ ନାଇଜେରିଆର ଏକ ଗ୍ରାମରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ । ଫଳରେ ଅତିକମରେ ୫୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସ୍ଥାନୀୟ ଚେୟାରମ୍ୟାନ ରୁବେନ୍ ବାକୋ କହିଛନ୍ତି, " ବେନୁ ରାଜ୍ୟର ଉଇମୋଗିଡି ଗ୍ରାମରେ ୪୭ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଏହାର ଦିନକ ପୂର୍ବରୁ ୩ ଜଣଙ୍କୁ ହତ୍ୟା କରାଯାଇଥିଲା ।"
ବେନୁ ରାଜ୍ୟ ପୋଲିସ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି, " ପ୍ରଥମେ ଦୁର୍ବୃତ୍ତମାନେ ଆସି ମାର୍କେଟରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଜଣେ ପୋଲିସ ଅଫିସରଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ କଣ ପାଇଁ ଏହି ଗୁଳିମାଡ କରାଯାଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ପାଇଁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।"
ତେବେ ଏନେଇ ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, " ଉତ୍ତର ମଧ୍ୟ ନାଇଜେରିଆରେ ଜମି ବିବାଦକୁ ନେଇ କୃଷକମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । କୃଷକମାନେ ପଶୁପାଳକଙ୍କ ନାମରେ ଅଭିଯୋଗ ଆଣୁଥିଲେ । ଜମିରୁ ଫଳ ଚୋରି କରିବା, ଚାଷ ଜମିରେ ପଶୁ ଚରାଇବା ଏବଂ ଉପଦ୍ରବରେ ଫସଲ ନଷ୍ଟ ହେଉଥିବା ନେଇ ସେମାନେ ବାରମ୍ବାର ଅଭିଯୋଗ କରୁଥିଲେ । ଫଳରେ ଏହି ଘଟଣାକୁ ନେଇ ହିଂସା ଉଗ୍ରରୂପ ନେଇଥାଇପାରେ ବୋଲି ଅନୁମାନ କରାଯାଉଛି ।"