ହଇଦ୍ରାବାଦ: ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେଇସ୍ରାଏଲ ଓ ଗାଜା ମଧ୍ୟରେ ଜାରି ରହିଥିବା ଯୁଦ୍ଧ 10ମ ଦିନରେ ପହଞ୍ଚିଛି । ତେବେ ଗାଜାରେ ଯେଉଁ ମାନବୀୟ ସଙ୍କଟ ଦେଖାଯାଇଛି, ସେ ନେଇ ଜାତିସଂଘ ଉଦବେଗ ପ୍ରକାଶ କରିଛି । ଏବେ ଉତ୍ତର ଗାଜାରୁ ପାଲେଷ୍ଟାଇନ ନାଗରିକମାନେ ଦକ୍ଷିଣ ଗାଜା ଅଭିମୁଖେ ପ୍ରାଣ ବିକଳରେ ପଳାୟନ କରିବାକୁ ଲାଗିଛନ୍ତି । କାରଣ ଇସ୍ରାଏଲ ଉତ୍ତର-ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ଔପଚାରିକ ଭାବେ ଘୋଷଣା ମଧ୍ୟ କରିସାରିଛି ।
ଜାତିସଂଘର ପାଲଷ୍ଟାଇନ ଶରଣାର୍ଥୀ ଏଜେନ୍ସି (UNRWA)ର ସୂଚନା ଅନୁସାରେ, ଏବେ ଦକ୍ଷିଣ ଗାଜାରେ ଆଶ୍ରୟ ନେବା ପାଇଁ ଗାଜାବାସୀ ପ୍ରାଣମୂର୍ଚ୍ଛା ସଂଘର୍ଷ କରୁଛନ୍ତି । କାରଣ ଲୋକସଂଖ୍ୟା ବହୁଳ ଗାଜା ପଟି ଏବେ ଇସ୍ରାଏଲ ସେନା ଦ୍ବାରା ପୁରା ଅବରୋଧ ହୋଇସାରିଛି । ଅନ୍ୟପଟେ ଇଜିପ୍ଟ ମଧ୍ୟ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଅନୁପ୍ରବେଶ ରୋକିବା ପାଇଁ ସୀମାରେ କଡା ପାଟ୍ରୋଲିଂ କରୁଛି ।
ଅନ୍ୟପଟେ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଇସ୍ରାଏଲର ଆକ୍ରମଣରେ ମୃତାହତ ନେଇ ଯେଉଁ ସୂଚନା ଦେଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏବେ ସୁଦ୍ଧା ପ୍ରାୟ 2,670 ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇସାରିଲାଣି । ପ୍ରାୟ 10 ହଜାର ନାଗରିକ ଆହତ ହୋଇଛନ୍ତି । 2014ରେ ହୋଇଥିବା ଗାଜା-ଇସ୍ରାଏଲ ଯୁଦ୍ଧରେ କ୍ଷୟକ୍ଷତି ପରିମାଣଠାରୁ ଏହା ଢେର ଅଧିକ ବୋଲି ମନ୍ତ୍ରଣାଳୟ କହିଛି ।