ହାଇଦ୍ରାବାଦ:ପ୍ରାୟ ଦୁଇ ସପ୍ତାହବ୍ୟାପୀ ଇସ୍ରାଏଲର ସାମରିକ ଅଭିଯାନ ମଧ୍ୟରେ ଆଜି ପ୍ରଥମ ଥର ପାଇଁ ଗାଜାପଟିରେ ମାନବୀୟ ସହାୟତା ପହଞ୍ଚିଛି ଗାଜା-ଇଜିପ୍ଟ ସୀମାରେ ଥିବା ରଫା ବର୍ଡର କ୍ରସିଂ ପୋଷ୍ଟକୁ ଆଜି ଇଜିଷ୍ଟ ପକ୍ଷରୁ ଖୋଲାଯାଇଛି । ଇସ୍ରାଏଲ ଗାଜାକୁ ସମଗ୍ର ଅବରୋଧ ଘୋଷଣା କରିବା ପରେ ଇଜିଷ୍ଟ ମଧ୍ୟ ଏହି ସୀମାକୁ ସିଲ କରିଥିଲା । ତେବେ ଆଜି ଇଜିଷ୍ଟ ପୋଷ୍ଟ ଖୋଲିବା ପରେ ଏକାଧିକ ଟ୍ରକରେ ଗାଜାରେ ଜରୁରୀ ସହାୟତା ସାମଗ୍ରୀ ପହଞ୍ଚିଛି ।
ବିଭିନ୍ନ ଦେଶ ସମେତ ଜାତିସଂଘ ଗାଜାରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଥିଲେ । ବିଶ୍ବର ଅନ୍ୟତମ ଲୋକସଂଖ୍ୟାବହୁଳ କ୍ଷୁଦ୍ର ଅଞ୍ଚଳ ଗାଜାପଟିରେ ପ୍ରାୟ 2.3 ନିୟୁତ ପାଲେଷ୍ଟାଇନୀୟ ନାଗରିକ ରହୁଛନ୍ତି । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ସେମାନେ ଏବେ ଉତ୍ତର-ଗାଜାରୁ ପଳାୟନ କରି ଦକ୍ଷିଣ-ଗାଜାରେ ଶରଣାର୍ଥୀ ଭାବେ ରହୁଛନ୍ତି । ସେମାନଙ୍କୁ ଏବେ ଶରଣାର୍ଥୀ ଓ ରିଲିଫ କ୍ୟାମ୍ପରେ ରଖାଯାଇଛି । ଏବେ ସେଠାରେ ଖାଦ୍ୟ, ପିଇବା ପାଣି, ବିଜୁଳି, ଇନ୍ଧନ ଓ ମେଡିକାଲ ସାମଗ୍ରୀର ଘୋର ସଙ୍କଟ ଦେଖାଯାଇଛି । ତେବେ ଇସ୍ରାଏଲର ଉତ୍ତର ଗାଜାରେ ସ୍ଥଳ ଅପରେସନ ପରେ ଦକ୍ଷିଣ ଗାଜାରେ ସଙ୍କଟ ଆହୁରି ବଢିବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ଦେଶ ଉଦବେଗ ପ୍ରକାଶ କରିବା ପରେ ଆଜି ପ୍ରଥମ ଥର ପାଇଁ ଇଜିଷ୍ଟ ଏହି ପୋଷ୍ଟ ଖୋଲି ମାନବୀୟ ସହୟତା ସାମଗ୍ରୀର ଯୋଗାଣ ଶୃଙ୍ଖଳାକୁ ନିଶ୍ଚିତ କରିଛି ।
ଚଳିତ ମାସ 7 ତାରିଖରେ ପ୍ରଥମେ ଗାଜାରେ ସକ୍ରିୟ ଥିବା ‘ହମାସ’ ଆତଙ୍କୀ ଗୋଷ୍ଠୀ ଇସ୍ରାଏଲ ଉପରେ ଅତର୍କିତ ରକେଟ ମାଡ କରିଥିଲେ । ମାତ୍ର 30 ମିନିଟରୁ କମ ସମୟ ମଧ୍ୟରେ ପ୍ରାୟ 5 ହଜାର ରକେଟ ମାଡ କରିଥିଲା ‘ହମାସ’ । ଆକ୍ରମଣ ଏତେ ଅପ୍ରତ୍ୟାଶିତ ଥିଲା ଯେ, ଇସ୍ରାଏଲର ଗୁଇନ୍ଦା ସଂସ୍ଥା ବିଫଳ ହେବା ସହ ଏୟାର ଡିଫେନ୍ସ ସିଷ୍ଟମ ‘ଆଇରନ-ଡୋମ’ ମଧ୍ୟ ଏହାକୁ ରୋକି ପାରିନଥିଲା ।