ଓ୍ବାଶିଂଟନ:ଆମେରିକାର ଆଲାସ୍କାରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.4 ମ୍ୟାଗ୍ନିଚ୍ଯୁଡ ହୋଇଥିବା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନଥିଲେ ସୁଦ୍ଧା ସୁନାମି ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ଆଲାସ୍କା ଉପକୂଳ ଓ ଆମେରିକାରେ ଅନ୍ୟ କିଛି ପଶ୍ଚିମ-ତଟୀୟ ରାଜ୍ୟରେ ସୁନାମି ସତର୍କତା ଜାରି କରାଯାଇଥିବା ସୂଚନା ମିଳିଛି ।
ଯୁକ୍ତରାଷ୍ଟ୍ର ଆମେରିକା ଭୌଗଳିକ ଅନୁଧ୍ୟାନ ବିଭାଗ (USGS) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଭୂକମ୍ପର ମାତ୍ରା 7.4 ମ୍ୟାଗ୍ନିଚ୍ଯୁଡ ଥିଲା । ସର୍ବାଧିକ ମାତ୍ରାର କମ୍ପନ ଆଲାସ୍କା ଅଞ୍ଚଳରେ ହିଁ ଅନୁଭୂତ ହୋଇଥିବା ବେଳେ ସମଗ୍ର ଆଲାସ୍କାନ୍ ଉପଦ୍ୱୀପ, ଆଲେଟିଆନ୍ ଦ୍ୱୀପପୁଞ୍ଜ ଏବଂ କୁକ୍ ଇନଲେଟ୍ ଅଞ୍ଚଳରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ପ୍ରାୟ 9.3 କି.ମି (5.78 ମାଇଲ) ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ନେଇ ସୂଚନା ସ୍ପଷ୍ଟ ହୋଇନି । ଏହାର ପ୍ରଭାବରେ ସମୁଦ୍ରରେ ସୁନାମି ଆସିବାର ଆଶଙ୍କା ପ୍ରକାଶ ପାଇଛି । ତେଣୁ ଆଲାସ୍କା ଉପକୂଳ ସହ ପଶ୍ଚିମ ଆମେରିକାର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ନେଇ ସତର୍କ ରହିବା ପାଇଁ କୁହାଯାଇଛି ।
1964 ମସିହାରେ ଆମେରିକାର ଏହି ଉତ୍ତର ଅଞ୍ଚଳ ଆଲାସ୍କାରେ ଭୟଙ୍କର ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଯାହାରା ତୀବ୍ରତା ଥିଲା 9.2 ମ୍ୟାଗ୍ନିଚ୍ୟୁଡ । ଉତ୍ତର ଆମେରିକାର ଇତିହାସରେ ଏହା ଥିଲା ସର୍ବାଧିକ ଭୟଙ୍କର ଭୂକମ୍ପ । ଏହାର ପ୍ରଭାବରେ ଏକ ଶକ୍ତିଶାଳୀ ସୁନାମି ମଧ୍ୟ ଆଲାସ୍କା ଗଲ୍ଫ , ଆମେରିକାର ପଶ୍ଚିମ-ଉପକୂଳ ଏବଂ ହାୱାଇ ଉପକୂଳରେ ମାଡ଼ ହୋଇଥିଲା । 250ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହେବା ସହ ଅନେକ ଲୋକେ ଆହତ ହୋଇଥିଲେ । ବହୁ ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଥିଲା । ପଶ୍ଚିମ-ଆମେରିକା ଉପକୂଳରେ ଭୂକମ୍ପ ପରେ ସୁନାମି ଭୟ ରହୁଥିବାରୁ ଚଳିତଥର ମଧ୍ୟ ଆଲର୍ଟ ଜାରି କରାଯାଇଛି ।