ଜାକାର୍ତ୍ତା:ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ବିଳମ୍ବିତ ରାତିରେ ଥରିଉଠିଲା ମାଟି । ଇଣ୍ଡୋନେସିଆର ଟୋବେଲୋରେ ବଡଧରଣର ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଗୁରୁବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ବିଳମ୍ବିତ ରାତି ପ୍ରାୟ ୨ଟାରେ ସୂଚନା ଦିଆଯାଇଛି । ଟୋବେଲୋର ଉତ୍ତରରୁ ୧୭୭ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୧୦୦ କିମି ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ପୂର୍ବରୁ ଜାନୁଆରୀ ୯ରେ ହୋଇଥିବା ବଡଧରଣର ଭୂକମ୍ପ: ଗତ ଜାନୁଆରୀ ୯ ତାରିଖ ବିଳମ୍ବିତ ରାତିରେ ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 7.7 ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଥିଲା । ଶକ୍ତିଶାଳୀ ଭୂକମ୍ପ ହେବା ଫଳରେ ତାନିମ୍ବାର ଅଞ୍ଚଳରେ ସୁନାମି ନେଇ ଆଲର୍ଟ ଜାରି କରାଯାଇଥିଲା । ଭୂକମ୍ପ ତୀବ୍ରତା ଏତେ ଅଧିକ ଥିଲା ଯେ, ଅଷ୍ଟ୍ରେଲିଆର ତିମୋକ ଲେଷ୍ଟେ ଏବଂ ଇଣ୍ଡୋନେସିଆର ପ୍ରାୟ 14 ନିୟୁତ ଲୋକେ ମଧ୍ୟ ଏହାର କମ୍ପନ ଅନୁଭବ କରିପାରିଥିଲେ ।