ଜାକର୍ତ୍ତା: ଇଣ୍ଡୋନେସିଆରେ ଭୂକମ୍ପ ଝଟକା । ଆଜି(ସୋମବାର) ଭୋର ସମୟରେ ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ତୀବ୍ରତା ୬.୧ ରୋକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପ ପ୍ରଭାବରେ କୌଣସି କ୍ଷତିକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିପାରିନାହିଁ ।
ଏହା ମଧ୍ୟ ପଢନ୍ତୁ: Nepal Plane Crash History: ୧୨ ବର୍ଷରେ ୮ ବଡ ବିମାନ ଦୁର୍ଘଟଣା, ଯାଇଛି ୧୬୬ ଜୀବନ
ଆଜି ଭୋର ୩.୫୯ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ୬.୧ ତୀବ୍ରତା ରେକର୍ଡ କରାଯାଇଛି । ଏହାର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ଏହାସହ ଅକ୍ଷାଂଶ ୨.୦୫ ରହିଥିବାବେଳେ ଦ୍ରାଘିମା ୯୭.୯୪ ରହିଥିଲା । ତେବେ ଭୂକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରି ନାହିଁ । ନଜର ପକାନ୍ତୁ ଏହା ପୂର୍ବରୁ ଇଣ୍ଡୋନେସିଆରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଉପରେ
ଜାନୁଆରୀ ୯ ତାରିଖ:ଗତ ଜାନୁଆରୀ ୯ ତାରିଖ ବିଳମ୍ବିତ ରାତିରେଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 7.7 ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଥିଲା । ଏନେଇ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା । ଭୂକମ୍ପ ହେବା ଫଳରେ ତାନିମ୍ବାର ଅଞ୍ଚଳରେ ସୁନାମି ନେଇ ଆଲର୍ଟ ଜାରି କରାଯାଇଥିଲା । ଭୂକମ୍ପ ତୀବ୍ରତା ଏତେ ଅଧିକ ଥିଲା ଯେ, ଅଷ୍ଟ୍ରେଲିଆର ତିମୋକ ଲେଷ୍ଟେ ଏବଂ ଇଣ୍ଡୋନେସିଆର ପ୍ରାୟ 14 ନିୟୁତ ଲୋକ ଏହାର କମ୍ପନ ଅନୁଭବ କରିପାରିଥିଲେ ।
ନଭେମ୍ବର ୨୧ ତାରିଖ:ଇଣ୍ଡୋନେସିଆର ଜାଭା ପ୍ରଦେଶରେ 5.6 ତୀବ୍ରତାର ଭୂକମ୍ପ ହୋଇଥିଲା । ଯେଉଁଥିରେ ଅତି କମରେ 318 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ । ଭୂକମ୍ପରେ ଶହ ଶହ ଘର ନଷ୍ଟ ହୋଇଥିଲା ବେଳେ ଅନେକ ଲୋକ ଭଗ୍ନସ୍ତୁପ ତଳେ ଚାପି ହୋଇରହିଥିଲେ । ଜାକାର୍ତ୍ତାର ଦକ୍ଷିଣପୂର୍ବ ଦିଗରେ 75 କିମି ଦୂର ସିଆଞ୍ଜୁରେ ଏହି ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଥିଲା । ଯାହାର ଗଭୀରତା 10 କିମି ରହିଥିଲା । ଭୂକମ୍ପରେ ସିଆଞ୍ଜୁରେ ଥିବା ସ୍କୁଲ, ହସ୍ପିଟାଲ ସମେତ ଶାତାଧିକ ବିଲ୍ଡିଂ ଭୁଶୁଡ଼ି ଯାଇଥିଲା ।
ସେହିପରି ଗତ ଫେବୃଆରୀରେ ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରାରେ ୬.୨ ତୀବ୍ରତାର ବଡ ଧରଣର ଭୂକମ୍ପ ହୋଇଥିଲା । ଏଥିରେ ଅତିକମରେ ୨୫ ଜଣଙ୍କ ପ୍ରାଣ ଯାଇଥିବା ବେଳେ ୪୬୦ରୁ ଅଧିକ ଲୋକେ ଆହତ ହୋଇଥିଲା ।