କାଠମାଣ୍ଡୁ: ଭୂକମ୍ପରେ ଥରିଲା ନେପାଳ । କାଠମାଣ୍ଡୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରେକର୍ଡ କରାଯାଇଛି । ଆଜି (ମଙ୍ଗଳବାର) ଭୋର 4.37 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।
ଭୂକମ୍ପ ନେପାଳ କାଠମାଣ୍ଡୁର ଦକ୍ଷିଣ-ପୂର୍ବ 155 କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହାର ଗଭୀରତା 100 କିଲୋମିଟର ରହିଛି । ସେହିପରି ଅକ୍ଷାଂଶ 28.57 ରହିଥିବାବେଳେ ଦ୍ରାଘିମା 86.58 ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ନେପାଳର ନୁୱାକୋଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା 5.3 ରେକର୍ଡ ହୋଇଥିଲା ।