ହାଇଦ୍ରାବାଦ: ଭୟଙ୍କର ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିଆ । ବିଶେଷ ଭାବେ ତୁର୍କୀ ସର୍ବାଧିକ ପ୍ରଭାବିତ ହୋଇଛି । ତେବେ ଏହି ଭୂକମ୍ପର ଦୀର୍ଘ 3ଦିନ ପୂର୍ବରୁ ପୂର୍ବାନୁମାନ ପ୍ରକାଶ ପାଇଥିବା ସୂଚନା ମିଳିଛି । ନେଦରଲାଣ୍ଡର ବିଶିଷ୍ଟ ଗବେଷକ ହିଗେରବିଟସ୍ ନିଜ ଗବେଷଣାରୁ ଏହି ସମ୍ଭାବ୍ୟ ଭୂକମ୍ପ ସମ୍ପର୍କରେ ପୂର୍ବାକଳନ ପ୍ରକାଶ କରିଥିଲେ । ସୋଲାର ସିଷ୍ଟମ ଜିଓମେଟ୍ରିକ ସର୍ଭେ(SSGEOS) ନାମକ ଏକ ଭୂତତ୍ବ ସର୍ବେକ୍ଷଣ ସଂସ୍ଥା ସହ କାର୍ଯ୍ୟ କରୁଥିବା ଏହି ଡଚ ଭୂବିଜ୍ଞାନୀ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏହି ପୂର୍ବାନୁମାନ ପ୍ରକାଶ କରିଥିଲେ । ଆଗାମୀ ତିନି ଦିନ ମଧ୍ୟରେ ଦକ୍ଷିଣ-କେନ୍ଦ୍ରୀୟ ତୁର୍କୀ, ସିରିଆ, ଲେବାନନରେ ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବ ଓ ଏହାର ତୀବ୍ରତା ପ୍ରାୟ 7.5 ରହିବା ନେଇ ମଧ୍ୟ ସେ ତାଙ୍କ ପୂର୍ବାନୁମାନରେ ଦର୍ଶାଇଥିଲେ ।
ତେବେ ଏହି ଗବେଷକଜଣଙ୍କ ଚଳିତମାସ 3 ତାରିଖରେ ପ୍ରଥମ ପୂର୍ବାନୁମାନ ନେଇ ଟ୍ବିଟ୍ କରିଥିଲେ । ଏହାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଗବେଷକଙ୍କ ଏପରି ଆକ୍ଷରିକ ପର୍ବାନୁମାନ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହାକୁ ହଜାର ହଜାର ଟ୍ବିଟର ବ୍ୟବହାରକାରୀ ଉଦବେଗ ପ୍ରକାଶ କରିବା ରିଟ୍ବିଟ୍ କରିଥିଲେ । ଫଳରେ ପୂର୍ବାନୁମାନକୁ ଆହୁରି ସ୍ପଷ୍ଟ କରିବାକୁ ଯାଇ ଏହି ଡଚ୍ ଗବେଷକ କହିଥିଲେ, 4 ତାରିଖରୁ 6 ତାରିଖ ମଧ୍ୟରେ ଏହି ଭୂକମ୍ପ ସୃଷ୍ଟି ହେବାର ଆଶଙ୍କା ସର୍ବାଧିକ ରହିଛି । ଏହାର ତୀବ୍ରତା ମୃଦୁ କିମ୍ବା 6 ମ୍ୟାଗ୍ନିଚ୍ୟୁଡ ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ଯାହା ଏବେ ବାସ୍ତବରେ ପରିଣତ ହୋଇଛି ।