ହାଇଦ୍ରାବାଦ:କେନ୍ଦ୍ର ଅଫ୍ରିକୀୟ ଦେଶ ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ କ୍ଷମତା ଦଖଲ କରିବାକୁ ଜାରି ରହଥିବା ଗୃହଯୁଦ୍ଧ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ଡ୍ରୋନ୍ ଆକ୍ରମଣରେ ପ୍ରାୟ 23ଜଣଙ୍କ ମୃତ୍ଯୁ ଘଟିଥିବା ସୂଚନା ମିଳିଛି । ସୁଦାନ ରାଜଧାନୀ ଖାର୍ତୁମର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଡ୍ରୋନ୍ ଯୋଗେ ବୋମାମାଡ଼ ହୋଇଛି । କେଉଁ ଗୋଷ୍ଠୀ ପକ୍ଷରୁ ଏହି ଆକ୍ରମଣ ହୋଇଛି ତାହା ବର୍ତ୍ତାମାନ ସୁଦ୍ଧା ସ୍ପଷ୍ଟ ହୋଇନି । କିଛି ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ସଂଖ୍ୟା ବର୍ତ୍ତମାନର ସଂଖ୍ୟାଠାରୁ ଅଧିକ ହେବା ନେଇ ଏକାଧିକ ମାନବାଧିକାର ସଂଗଠନ ଅଭିଯୋଗ କରିଛନ୍ତି ।
ସାମାଜିକ କର୍ମୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ଏହି ଆକ୍ରମଣ ସେନା ଓ ଅର୍ଦ୍ଧ ସାମରିକ ବାହିନୀ ମଧ୍ୟରେ ଜାରି ରହିଥିବା ଗୃହଯୁଦ୍ଧ କାରଣରୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । ଘଟଣା ସ୍ଥଳରେ ହାଇଆଲର୍ଟ ଜାରି କରାଯାଇଛି । ସହରର ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏପ୍ରିଲ ମାସ ମଧ୍ୟଭାଗରୁ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଜାରି ରହିଛି । ଏକାଧିକ ଆକ୍ରମଣରେ ପ୍ରାୟ 4 ହଜାର ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟି ସାରିଲାଣି । ଜେନେରାଲ ଅବଦ୍ଦେଲ ପତେହ ବୁରହମଙ୍କ ନେତୃତ୍ବାଧୀନ ସେନା ଓ ଜେନେରାଲ ମହମ୍ମଦ ହମଦାନ ଦାଗାଲୋଙ୍କ ନେତୃତ୍ବରେ ଥିବା ପାରା ଫୋର୍ସ (ରାପିଡ ସପୋର୍ଟ ଫୋର୍ସ) ମଧ୍ୟରେ ଦେଶର କ୍ଷମତା ନିୟନ୍ତ୍ରଣ ପାଇଁ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଏକାଧିକ ସରକାରୀ କାର୍ଯ୍ୟାଳୟ, ବନ୍ଦର, ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଦୁଇ ସାମରିକ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି । ସୁଦାନରେ ଏପରି ସଙ୍କଟ ସ୍ଥିତି ସୃଷ୍ଟି ହେବା ପରେ ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣି ସାରିଛନ୍ତି ।