ୱାଶିଂଟନ: ହୁତୁ ହୁତୁ ହୋଇ ଜଳୁଛି ଆମେରିକାର ହୱାଇ ଜଙ୍ଗଲ । ହୱାଇ ମଉଇ ଦ୍ବୀପର ଲାହୈନା ଜଙ୍ଗଲରେ ଭଙ୍କୟର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏଥିରେ ଏବେସୁଦ୍ଧା ପ୍ରାୟ ୬୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅନେକ ପର୍ଯ୍ୟଟକ ରହିଛନ୍ତି । ମୃତ୍ୟୁସଂଖ୍ୟା ବଢୁଥିବା ବେଳେ ଜଙ୍ଗଲ ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ଭୟଙ୍କର ନିଆଁ ଜନବସତି ଆଡକୁ ବ୍ୟାପିଛି । ଏନେଇ ହୱାଇ ଗଭର୍ଣ୍ଣର ଜୋସ୍ ଗ୍ରୀନ କହିଛନ୍ତି, ଜଙ୍ଗଲ ନିଆଁ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହି ଅଗ୍ନିକାଣ୍ଡ ରାଜ୍ୟ ଇତିହାସର ସବୁଠୁ ବଡ ବିପର୍ଯ୍ୟୟ । ଲୋକଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ, ଶୁଷ୍କ ପାଗ, ଶୁଖିଲା ଘାସ ଓ ଅଧିକ ବେଗରେ ପବନ ବହିବା ଯୋଗୁଁ ନିଆଁ ସାଂଘାତିକ ରୂପ ନେଇଛି । ଜନବସତିକୁ ନିଆଁ ବ୍ୟାପିଥିବାରୁ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ଏବେ ବି ଅନେକ ଘର ଜଳୁଛି । ଲୋକମାନଙ୍କୁ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି । ସ୍ଥିତି ଏପରି ରହିଛି ଯେ, ନିଆଁରୁ ବର୍ତ୍ତିବା ପାଇଁ ଅନେକ ଲୋକ ସମୁଦ୍ରକୁ ଡେଇଁ ପଡିଛନ୍ତି । ହଜାର ହଜାର ପର୍ଯ୍ୟଟକ ବିମାନ ବନ୍ଦରରେ ଅପେକ୍ଷା କରିରହିଛନ୍ତି । ଜୋସ୍ ଗ୍ରୀନ କହିଛନ୍ତି, କିଛି ଲୋକ ନିଆଁରୁ ବର୍ତ୍ତିବା ପାଇଁ ଘର ଛାଡି ପଳାଇଥିବା ବେଳେ ବାହାରେ ସେମାନଙ୍କ ମୃତ୍ୟୁ ହୋଇଛି । ଆଗକୁ ମଧ୍ୟ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ ଅଗ୍ନିକାଣ୍ଡରେ ପ୍ରକୃତରେ କେତେ ସଂଖ୍ୟକ ଲୋକଙ୍କ ପ୍ରାଣହାନି ହେଲାଣି ସେନେଇ କିଛି ସ୍ପଷ୍ଟ ସୂଚନା ନାହିଁ ।