ହାଇଦ୍ରାବାଦ:ହମାସର ଆକ୍ରମଣ ପରେ ଗାଜା ଉପରେ ଇସ୍ରାଏଲ ଆରମ୍ଭ କରିଥିବା ସାମରିକ ଅଭିଯାନ ଆଜି 17 ଦିନରେ ପହଞ୍ଚିଛି । ଗାଜାରେ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା 5 ହଜାର ପାର କରିଥିବା ଆଶଙ୍କା ପ୍ରକାଶ ପାଇଛି । ମୃତକଙ୍କ ମଧ୍ୟରେ 2 ହଜାରରୁ ଅଧିକ ଶିଶୁ ଥିବା ମଧ୍ୟ କୁହାଯାଉଛି । ତେବେ ଗୋଟିଏ ପଟେ ଗାଜାକୁ ଇଜିପ୍ଟ ରାସ୍ତା ଦେଇ ମାନବୀୟ ସହାୟତା ପ୍ରଦାନ ଜାରି ରହିଥିବା ବେଳେ ଇସ୍ରାଏଲ କିନ୍ତୁ ଅଭିଯାନ ଜାରି ରଖିଛି । ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବା ପୂର୍ବରୁ ଆଜି ମଧ୍ୟ ଗାଜାର ଏକାଧିକ ସ୍ଥାନରେ ଇସ୍ରାଏଲର ଲଢୁଆ ବିମାନ ଏୟାର ଷ୍ଟ୍ରାଇକ କରିଛନ୍ତି ।
ତେବେ ଆଜିକୁ ମିଶାଇ ଇଜିପ୍ଟ ସୀମା ଦେଇ ଗାଜାରେ ତୃତୀୟ ପର୍ଯ୍ୟାୟରେ ମାନବୀୟ ସହାୟତା ସାମଗ୍ରୀ ପହଞ୍ଚିଛି । ଗାଜାରେ ବିଜୁଳି ନଥିବା କାରଣରୁ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଗାଜା ହସ୍ପିଟାଲରେ ରକ୍ତର ଆବଶ୍ୟକତା ଥିବା ଦର୍ଶାଇ ରକ୍ତଦାନ ପାଇଁ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁରୋଧ କରିଛି । ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚି ରକ୍ତଦାନ କରିବା ପାଇଁ ଆହ୍ବାନ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।
ଗୋଟିଏ ପଟେ ପଶ୍ଚିମ ରାଷ୍ଟ୍ରମାନେ ଗାଜାକୁ ମାନବୀୟ ସହାୟତା ସାମଗ୍ରୀ ଯୋଗାଣ ଉପରେ ଚିନ୍ତା ପ୍ରକଟ କରୁଥିଲା ବେଳେ ଇସ୍ରାଏଲର ସାମଗିକ ଅଭିଯାନ ବନ୍ଦ କରିବା ଦିଗରେ କୌଣସି ଚାପ ସୃଷ୍ଟି କରୁନାହାନ୍ତି । ଆକ୍ରମଣ ବନ୍ଦ ନହେଲେ ମୃତ୍ୟସଂଖ୍ୟା ବଢିବା ନେଇ ଏକାଧିକ ମାନବାଧିକାର ସଂଗଠନ ଉଦବେଗ ପ୍ରକାଶ କରିଛନ୍ତି ।