ଓଡିଶା

odisha

By ETV Bharat Odisha Team

Published : Oct 17, 2023, 10:58 PM IST

ETV Bharat / international

Israel-Palestine war: ଗାଜାରେ ମୃତ୍ୟୁସଂଖ୍ୟା 3 ହଜାର ପାର ! ଆଉ ଜଣେ ଟପ ହମାସ କମାଣ୍ଡର ଟଳିଥିବା ଇସ୍ରାଏଲର ଦାବି

11 ଦିନରେ ପହଞ୍ଚିଲା ଗାଜା-ଇସ୍ରାଏଲ ଯୁଦ୍ଧ । ମୃତ୍ୟୁସଂଖ୍ୟା 3 ହଜାର ପାର କରିଥିବା ଆଶଙ୍କା । ତଥାପି ଜାରି ରହିଛି ଇସ୍ରାଏଲ ଡିଫେନ୍ସ ଫୋର୍ସର ପ୍ରଚଣ୍ଡ ଆକ୍ରମଣ । ବାଇଡେନ ଓ ମାକ୍ରୋନ କରିପାରନ୍ତି ଇସ୍ରାଏଲ ଗସ୍ତ । ଅଧିକ ପଢନ୍ତୁ

Day 11 of Israel-Palestine war: ଗାଜାରେ  ମୃତ୍ୟୁସଂଖ୍ୟା 3 ହଜାର ପାର ଆଶଙ୍କା, ଆଉଜଣେ ଟପ ହମାସ କମାଣ୍ଡର ଟଳିଥିବା ଇସ୍ରାଏଲର ଦାବି
Day 11 of Israel-Palestine war: ଗାଜାରେ ମୃତ୍ୟୁସଂଖ୍ୟା 3 ହଜାର ପାର ଆଶଙ୍କା, ଆଉଜଣେ ଟପ ହମାସ କମାଣ୍ଡର ଟଳିଥିବା ଇସ୍ରାଏଲର ଦାବି

ହାଇଦ୍ରାବାଦ: ‘ହମାସ’ ଗୋଷ୍ଠୀର ଆକ୍ରମଣ ପରେ ଗାଜା-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି 11ତମ ଦିନରେ ପହଞ୍ଚିଛି । ‘ହମାସ’ ଆତଙ୍କୀ ଗୋଷ୍ଠୀ ଗାଜାରୁ ପ୍ରାୟତଃ ନିଶ୍ଚିହ୍ନ ହୋଇସାରିଥିବା ବେଳେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ସମ୍ପୂର୍ଣ୍ଣ ଅବରୋଧ ଥିବା ଗାଜାରେ ପ୍ରବଳ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ହମାସର ଶେଷ ଆତଙ୍କୀଙ୍କୁ ନିପାତ କରାଯିବା ପରେ ଏହି ଅପରେସନ ଆଇରନ ସୋର୍ଡ ବନ୍ଦ କରାଯିବା ନେଇ ଇସ୍ରାଏଲ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ ଗାଜାରେ ମୃତ୍ୟୁସଂଖ୍ୟା ପ୍ରାୟ 3 ହଜାର ପାର କରିସାରିଥିବା ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ପାଲେଷ୍ଟାଇନ ନାଗରିକ ମଧ୍ୟ ରହିଛନ୍ତି ।

ଗାଜାରେ ଥିବା ପାଲେଷ୍ଟାଇନ ନାଗରିକମାନେ ମାନବୀୟ ସଙ୍କଟର ସାମ୍ନା କରୁଛନ୍ତି । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ବିଲ୍ଡିଂ ତଳୁ ମୃତଦେହ ଉଦ୍ଧାର ହେବା ସହ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଆଜି ହମାସର ଆଉ ଜଣେ ଟପ କମାଣ୍ଡରକୁ ନିପାତ କରାଯାଇଥିବା ନେଇ ଇସ୍ରାଏଲ ଫୋର୍ସ ଦାବି କରିଛି । ଏୟାର ଷ୍ଟ୍ରାଇକର ଏକ ଭିଡିଓ ମଧ୍ୟ ଜାରି କରିଛି ଆଇଡିଏଫ ।

ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ପ୍ରାୟ 3 ହଜାର ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ 12 ହଜାରରୁ ଅଧିକ ଆହତ ହୋଇଛନ୍ତି । ଏୟାର ଷ୍ଟ୍ରାଇକର ଆବର୍ଜନା ମଧ୍ୟରେ ଅନେକ ମୃତାହତ ରହିଛନ୍ତି । ଅନ୍ୟପଟେ ଇସ୍ରାଏଲର ତଥ୍ୟ ଅନୁଯାୟୀ, 1400 ରୁ ଅଧିକ ଇସ୍ରାଏଲ ନାଗରିକ ହମାସର ଆକ୍ରମଣରେ ମୃତ୍ୟୁ ଘଟିଛି । ସେହିପରି 7 ତାରିଖ ଦିନ ରକେଟ ଆକ୍ରମଣ କରିବା ସହ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରି ହମାସ ଆତଙ୍କୀମାନେ ଶିଶୁଙ୍କ ସମେତ ପ୍ରାୟ 2 ଶହ ସାଧାରଣ ଇସ୍ରାଏଲୀ ନାଗରିକଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ବର୍ବରତାର ସହ ହତ୍ୟା ମଧ୍ୟ କରିଥିଲେ ଆତଙ୍କୀ ।

ଏହା ମଧ୍ୟ ପଢନ୍ତୁ :- Israel Hamas War: ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ବକୁ ସ୍ତବ୍ଧ କରିଛି କହିଲେ ଋଷି ସୁନକ

ଅନ୍ଯପଟେ ଯୁଦ୍ଧ ସ୍ଥିତି ମଧ୍ଯରେ ଏକାଧିକ ୟୁରୋପୀୟ ରାଷ୍ଟ୍ରର ମୁଖ୍ୟମାନେ ମଧ୍ୟ ନିକଟରେ ଇସ୍ରାଏଲ ଗସ୍ତ କରିବାର ସଙ୍କେତ ମିଳିଲାଣି । ଇସ୍ରାଏଲକୁ ପ୍ରଥମ ଦିନରୁ ପ୍ରତ୍ୟେକ୍ଷ ସମର୍ଥନ କରିଥିବା ଆମେରିକାର ରାଷ୍ଟ୍ରପତି ବାଇଡେନ ମଧ୍ୟ ନିକଟରେ ଟେଲଆଭିବରେ ପହଞ୍ଚିପାରନ୍ତି । ଏହା ପୂର୍ବରୁ ଆମେରିକାର ବିଦେଶ ସଚିବ ଆଣ୍ଟୋନି ବ୍ଲିନକେନ ଇସ୍ରାଏଲ ଗସ୍ତ କରି ପ୍ରଧାନମନ୍ତ୍ରୀ ନେତିନ୍ୟାହୁଙ୍କ ସହ ଆଲୋଚନା କରିସାରିଛନ୍ତି । ସେହିପରି କେବଳ ଆମେରିକା ନୁହେଁ ବରଂ ଅନ୍ୟତମ ଶକ୍ତିଶାଳୀ ୟୁରୋପୀୟ ରାଷ୍ଟ୍ର ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମଧ୍ୟ ଇସ୍ରାଏଲ ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details