ଢାକା:ନାରୀ କେତେବେଳ ଲକ୍ଷ୍ମୀ ରୂପରେ ଘରକୁ ସମୃଦ୍ଧ ଆଣେ ତ କେତେବେଳେ ଦୁର୍ଗା ହୋଇ ପରିବାରର ସୁରକ୍ଷା ପାଇଁ ଲଢିଥାଏ । ସବୁ ଦୁଃଖ କଷ୍ଟ ସହି ପରିବାର ମୁହଁରେ ହସ ଫୁଟାଇବା କୌଶଳ ସତେ ଯେମିତି ସେ ହିଁ ଜାଣେ । ଧୌର୍ଯ୍ୟଶକ୍ତି ତା ପାଖରେ ହିଁ ଥାଏ । ଆମେ ସେମିତି ଜଣେ ଦୃଢମନା ସାହାସୀ ଝିଅ କଥା କହୁଛୁ ଯିଏ ତାଙ୍କ ବାପାଙ୍କୁ ନ୍ୟାୟ ଦେଇଛନ୍ତି । ଦୀର୍ଘ 16 ବର୍ଷ ପରେ ଶେଷ ଯାଏଁ ଲଢି ବାପାଙ୍କ ହତ୍ୟାକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଛନ୍ତି । ସେ ହେଲେ ବାଂଲାଦେଶ ଶେଗୁଫ୍ତା ତବସୁମ୍ ଅହମ୍ମଦ । ବାପାଙ୍କ ହତ୍ୟା ମାମଲାରେ ଓକିଲ ଭାବେ ଲଢିଥିଲେ ଝିଅ।
୨୦୦୬ ଫେବୃଆରୀରେ ଶେଗୁଫ୍ତାଙ୍କ ବାପା ତାହେର ଅହମ୍ମଦ ନିଖୋଜ ହୋଇଗଲେ । ବାଂଲାଦେଶର ରାଜଶାହୀ ବିଶ୍ବବିଦ୍ୟାଳୟରେ ସେ ଅଧ୍ୟାପକ ଥିଲେ । ନିଖୋଜ ହେବାର ୨ ଦିନ ପରେ ତାଙ୍କ ମୃତଦେହ ମିଳିଲା। ପୋଲିସରେ ତଦନ୍ତ ଆରମ୍ଭ କଲା । ମାର୍ଚ୍ଚ ୧୭ ରେ ପୋଲିସ ଏହି ମାମଲାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଅଭିଯୁକ୍ତମାନେ ତାହେରଙ୍କ ସହକର୍ମୀ ଥିଲେ । ଶେଗୁଫ୍ତା ସେହି ବର୍ଷ ପ୍ରଥମ ବର୍ଷ ଆଇନ ଛାତ୍ରୀ ଥିଲେ । ବାପାଙ୍କ ଦେହାନ୍ତ ପରେ ସେ ପାଠପଢା ଛାଡିଦେବାକୁ ମଧ୍ୟ ଚିନ୍ତା କରିଥିଲେ। ଯେତେବେଳେ ତାଙ୍କ ବାପାଙ୍କ ହତ୍ୟାକାରୀଙ୍କୁ ଜାମିନ ମିଳିଲା ସେ ବାପାଙ୍କୁ ନ୍ୟାୟ ଦେବା ପାଇଁ ଓକିଲାତି କରିବା ନିଷ୍ପତ୍ତି ନେଲେ। ଦୋଷୀକୁ ଦଣ୍ଡ ଦେବାକୁ ଚିନ୍ତା କଲେ।