ଢାକା:ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିଛି ସାମୁଦ୍ରିକ ବାତ୍ୟା ମୋକା । ଏହାପରେ ବାତ୍ୟା ଦୁର୍ବଳ ହୋଇଯାଇଥିବା ବେଳେ ବହୁ କ୍ଷୟକ୍ଷତି ଘଟାଇଛି । ଦିନକୁ ଦିନ ଦୁର୍ଦ୍ଦଶା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ପ୍ରଶାସନର ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ମୋକା ପ୍ରଭାବରେ ୮୧ଜଣଙ୍କ ଜୀବନ ଯାଇଛି ।
ଏହା ମଧ୍ୟ ପଢନ୍ତୁ: Cyclone Mocha: ମିଆଁମାରରେ ମୋକା ତାଣ୍ଡବ, 3 ମୃତ ଜଳବନ୍ଦୀ ଅନେକ ସହର
ଏକ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ରଖିନେ ରାଜ୍ୟର ବୁମା ଏବଂ ଖୁଙ୍ଗ ଡୋକେ କର ଗ୍ରାମରେ ରୋହିଙ୍ଗ୍ୟା ମୁସଲିମ ସଂପ୍ରଦାୟ ବାସ କରୁଥିଲେ । ତେବେ ବାତ୍ୟା ମୋକାର ତାଣ୍ଡବ ଲୀଳାରେ ସେଠାରେ ଅତିକମରେ ୪୬ଜଣଙ୍କ ପ୍ରାଣ ଯାଇଥିବା ଜଣାପଡିଛି । ରଖିନର ରାଜଧାନୀ ସୀତ୍ୱେର ଉତ୍ତରରେ ଥିବା ରାଥେଡାଙ୍ଗ ଟାଉନସିପ୍ ଅନ୍ତର୍ଗତ ଏକ ଗ୍ରାମରେ ରହିଥିବା ବହୁ ପୁରାତନ ଧାର୍ମିକ ପୀଠ ଭୁଶୁଡି ପଡିବାରୁ ପାଖାପାଖି ୧୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ନିକଟସ୍ଥ ଗ୍ରାମର ଏକ ଘର ଭୁଶୁଡିବାରୁ ଜଣେ ମହିଳାଙ୍କ ଜୀବନ ଯାଇଥିବା ନେଇ ମିଆଁମାର ଏକ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟା ମୋକାର ତାଣ୍ଡବରେ ୧୦୦ଜଣ ଲୋକ ନିଖୋଜ ରହିଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ବୁମା ଭିଲେଜର ମୁଖ୍ୟ କହିଛନ୍ତି ।