ଓଡିଶା

odisha

G20 Summit: ଆସିବେନି ଜିନପିଙ୍ଗ, ଚୀନକୁ ପ୍ରତିନିଧିତ୍ବ କରିବେ ପ୍ରିମିୟର ଲି

By ETV Bharat Odisha Team

Published : Sep 4, 2023, 4:12 PM IST

ଜି20 ସମ୍ମିଳନୀ ମୁଖ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେନାହିଁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ । ଷ୍ଟେଟ କାଉନସିଲ ପ୍ରମିୟର ଲି ନେବେ ଚୀନ ପ୍ରତିନିଧି ମଣ୍ଡଳୀର ନେତୃତ୍ବ । ଚଳିତ ମାସ 9 ଓ 10 ତାରିଖରେ ଦିଲ୍ଲୀରେ ମୁଖ୍ୟ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

G20 Summit: ଆସିବେନି ସି ଜିନପିଙ୍ଗ
G20 Summit: ଆସିବେନି ସି ଜିନପିଙ୍ଗ

ହାଇଦ୍ରାବାଦ: ଚଳିତ ମାସ 9 ଓ 10 ତାରିଖରେଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି20 ସମ୍ମିଳନୀର ଅନ୍ତିମ ତଥା ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଭାରତ ଆସିବେନି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଗତ କିଛି ଦିନ ହେବ ଜିନପିଙ୍ଗଙ୍କ ଭାରତ ଗସ୍ତ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ଗସ୍ତକୁ ନେଇ ସ୍ପଷ୍ଟ କରାଯାଇଛି । ସେ ଭାରତ ଆସିବେନି ବରଂ ଚୀନରୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ପ୍ରତିନିଧି ମଣ୍ଡଳୀର ନେତୃତ୍ବ ଷ୍ଟେଟ୍‌ କାଉନ୍‌ସିଲର ପ୍ରମିୟର ଲି କିଆଙ୍ଗ୍ କରିବେ ବୋଲି ବେଜିଂ କହିଛି ।

ଚୀନ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ (Mao Ning) ଜି20କୁ ଜିନପିଙ୍ଗଙ୍କ ଗସ୍ତ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି । ଚଳିତ ମାସ 9 ଓ 10 ତାରିଖରରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି20 ଶିଖର ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଜିନପିଙ୍ଗ ନିଜେ ସାମିଲ ହେବେ ନାହିଁ । ତେବେ ଚୀନ ଷ୍ଟେଟ କାଉନସିଲର ପ୍ରମିୟର ଲି କ୍ବାଙ୍ଗ ଏହି ସମ୍ମିଳନୀରେ ଚୀନ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ଭାରତ ଗସ୍ତ କରିବେ । ତେବେ ଜିନ୍‌ପିଙ୍ଗ୍‌ ନିଜେ ଭାରତ ଗସ୍ତ ନକରିବାର କାରଣ ସମ୍ପର୍କରେ ଚୀନ ବିଦେଶ ମନ୍ତ୍ରଣାଳୟ କିଛି ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆଣିନାହିଁ ।

ଭାରତ ଅଧ୍ୟକ୍ଷତାରେ ଜାରି ରହିଥିବା ଏହି ଶିଖର ସମ୍ମିଳନୀର ଅନ୍ତିମ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ସମ୍ମିଳନୀର ବହୁ ସଦସ୍ୟ ରାଷ୍ଟ୍ରମୁଖ୍ୟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଦିଲ୍ଲୀ ଆସିବେ ନାହିଁ । ତାଙ୍କ ପ୍ରତିନିଧି ଭାବେ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଲାଭରୋଭ ଦିଲ୍ଲୀ ଆସିବା ନେଇ ମକ୍ସୋ ପକ୍ଷରୁ ସ୍ପଷ୍ଟ କରାଯାଇ ସାରିଛି । ଋଷ ୟୁକ୍ରେନ୍‌ ଯୁଦ୍ଧ କାରଣରୁ ପୁଟିନ ଏବେ କୌଣସି ବିଦେଶ ଗସ୍ତ କରୁନାହାନ୍ତି । ଅନ୍ୟପଟେ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କର ଏହି ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିବା ନେଇ ପ୍ରଥମରୁ ଅନିଶ୍ଚିତତା ଲାଗି ରହିଥିବା ବେଳେ ତାହା ଆଜି ସ୍ପଷ୍ଟ ହୋଇଛି ।

ଏହା ମଧ୍ୟ ପଢନ୍ତୁ: -G20 Meet: ସେପ୍ଟେମ୍ବର 7ରୁ 4 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଇଡେନ

ନିକଟରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ‘ବ୍ରିକ୍ସ’ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ୍‌ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶରେ ସୀମା (ପ୍ରକୃତ ନିୟନ୍ତ୍ରଣ ରେଖା) ଉତ୍ତେଜନା ହ୍ରାସ ଓ ଶାନ୍ତି ଫେରାଇବା ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ଉଭୟ ନେତା ସହମତ ହୋଇଥିବା ମଧ୍ୟ ସୂଚନା ସାମ୍ନାକୁ ଆସିଥିଲା । ଏହାର ମାତ୍ର କିଛି ଦିନ ପରେ ଚୀନ ଜାରି କରିଥିବା ତାର ନୂଆ ଜାତୀୟ ମ୍ୟାପ୍‌ରେ ଉତ୍ତର ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ବୋଲି ଦର୍ଶାଇଥିଲା । ଯାହାକୁ ନେଇ ଦିଲ୍ଲୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହା ଚୀନର ପୁରୁଣା ଅଭ୍ୟାସ ବୋଲି କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details