ହାଇଦ୍ରାବାଦ:ନାଟକୀୟ ଢଙ୍ଗରେ ମାସାଧିକ ସମୟ ଧରି ନିଖୋଜ ଥିବା ଚୀନର ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରିଛନ୍ତି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ । ଗ୍ୟାଙ୍ଗଙ୍କ ସ୍ଥାନରେ ୱାଙ୍ଗ ୟୀଙ୍କୁ ଚୀନର ନୂତନ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତ ମିଳିଛି । ଡିସେମ୍ବର 2022 ରେ କିନ ଗ୍ୟାଙ୍ଗ ଚୀନର ବିଦେଶ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ହେଲେ ଗତମାସ (ଜୁନ) 25 ତାରିଖ ପରଠାରୁ ସେ ନାଟକୀୟ ଭାବେ କେଉଁଆଡେ ଅର୍ନ୍ତଧ୍ୟାନ ହୋଇଯାଇଛନ୍ତି । ସେ ତାଙ୍କ କାର୍ଯ୍ୟାଳୟ ଆସୁନଥିବା ବେଳେ ତାଙ୍କ ସହ ଯୋଗାଯୋଗ ମଧ୍ୟ ହୋଇପାରୁନାହିଁ । ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର କୌଣସି ସୂଚନା ସରକାରଙ୍କ ପାଖରେ ନଥିବା ବେଳେ ଆଜିି ତାଙ୍କୁ ରାଷ୍ଟ୍ରପତି ଜିନପିଙ୍ଗ ଦାୟିତ୍ବରୁ ବରଖାସ୍ତ କରିଛନ୍ତି ।
ଚୀନର ସରକାରୀ ଗଣମାଧ୍ୟମ ‘ଗ୍ଲାବାଲ ଟାଇମ୍ସ’ ରେ ପ୍ରକାଶିତ ସୂଚନା ଅନୁସାରେ, ସରକାରୀ ନିଯୁକ୍ତି, ଅପସାରଣ ସମ୍ପର୍କିତ ଅପରାଧିକ ଆଇନ ସଂଶୋଧନ ପାଇଁ ଚୀନ୍ର ସର୍ବୋଚ୍ଚ ବ୍ୟବସ୍ଥାପିକା ଆଜି (ମଙ୍ଗଳବାର) ଏକ ଅଧିବେଶନ ଡକାଇଥିଲା । ଏଥିରେ ନିଖୋଜ ଥିବା ବିଦେଶ ମନ୍ତ୍ରୀ କି ଗ୍ୟାଙ୍ଗକୁ ପଦରୁ ହଟାଇବା ସହ ୱାଙ୍ଗ ୟୀଙ୍କୁ ଦେଶର ନୂତନ ବିଦେଶ ମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ବୈଠକରେ ପାରିତ ହୋଇଥିବା ନିଷ୍ପତ୍ତିକୁ ରାଷ୍ଟ୍ରପତି ସି.ଜିନପିଙ୍ଗ ଅନୁମୋଦନ କରିବା ସହ କିନ ଗ୍ୟାଙ୍ଗ ତାଙ୍କ ପଦରୁ ବରଖାସ୍ତ ହୋଇଛନ୍ତି ।