ଓଟାବା:ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ଲାଗି ଭାରତକୁ ଦୋଷୀ ସଜେଇବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ପଡ଼ିଲା ମହଙ୍ଗା । ଏବେ ହାତରୁ ଯିବାକୁ ବସିଛି ପ୍ରଧାନମନ୍ତ୍ରୀ ପଦ । ଏହା ଆମେ କହୁ ନାହୁଁ, ipsos ସର୍ଭେ ରିପୋର୍ଟ ଅନୁସାରେ କାନାଡା ଦେଶବାସୀ ଏବେ ଟ୍ରୁଡୋଙ୍କ ବଦଳରେ କାନାଡା ପ୍ରଧାନମନ୍ତ୍ରୀ ଭାବେ କନଜରଭେଟିଭ ପାର୍ଟ ନେତା ପିଏର ପୋଇଲିଭରଙ୍କୁ ଦେଖିବାକୁ ଚାହୁଁଛନ୍ତି । ପୋଇଲିଭରଙ୍କ ସପକ୍ଷରେ ପ୍ରାୟ ୪୦ ପ୍ରତିଶତ କାନାଡା ନାଗରିକ ରହିଥିବା ବେଳେ ଏହି ସମର୍ଥନ ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।
ଗ୍ଲୋବାଲ ନ୍ୟୁଜ ରିପୋର୍ଟ ଅନୁସାରେ, ଆସନ୍ତା ୨୦୨୫ ନିର୍ବାଚନରେ କାନାଡାରେ ସରକାର ଗଠନ କରିବା ଲାଗି କନଜରଭେଟିଭ ପାର୍ଟ ନିକଟରେ ଅଧିକ ସମ୍ଭାବନା ରହିଛି । କନଜରଭେଟିଭ ନେତା ପୋଇଲିଭରଙ୍କ ସପକ୍ଷରେ ଲଗାତାର ଭାବେ ସମର୍ଥନ ବଢିବାରେ ଲାଗିଛି । ସେପଟେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସପକ୍ଷରେ ମାତ୍ର ୩୧ ପ୍ରତିଶତ ସମର୍ଥନ ରହିଛି । ଗତ ୨୦୨୧ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ଟ୍ରୁଡୋଙ୍କୁ ପୂର୍ଣ୍ଣ ସମର୍ଥନ ମିଳିନଥିଲା । ସେହି ସମୟରେ ଟ୍ରୁଡୋଙ୍କ ପାର୍ଟି ଖଲିସ୍ତାନୀ ସମର୍ଥକ ଜଗମିତ ସିଂ ଧାଲିୱାଲଙ୍କ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି ସହ ମେଣ୍ଟ ସରକାର ଗଠନ କରିଥିଲା ।
ଏହା ବି ପଢନ୍ତୁ- କାନାଡା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟମୂଳକ: ବିଦେଶ ମନ୍ତ୍ରଣାଳୟ
କୁହାଯାଉଛି ଯେ ଖଲିସ୍ତାନୀ ସମର୍ଥକ ଧାଲିୱାଲଙ୍କ ସହଯୋଗରେ ଟ୍ରୁଡୋ ନିଜ ସରକାର ଚଲାଉଛନ୍ତି । ତାଙ୍କ କହିବା ଅନୁସାରେ କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ ଭାରତର ବିରୋଧରେ ଏହି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଖାସ କଥା ହେଉଛି ଭାରତ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ଏନେଇ ଗୋଟିଏ ବି ପ୍ରମାଣ ଦେବାରେ ଟ୍ରୁଡୋ ଅସମର୍ଥ ରହିଛନ୍ତି । ଏପଟେ କାନାଡାରେ ଲୁଚି ବସିଥିବା ଅନେକ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଅନେକ ପ୍ରମାଣ କାନାଡାକୁ ଦେଇଛି ଭାରତ । ହେଲେ ଏଯାବତ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।