ନମ୍ପେନ୍:କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ସେନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି(Cambodian PM tests positive for COVID-19) । ଇଣ୍ଡୋନେସିଆର ବାଲିଦ୍ବୀପ ଠାରେ ଆୟୋଜିତ ଜି-୨୦ ବୈଠକରେ ଯୋଗଦେବା ପାଇଁ ଯାଇଥିବା ସମୟରେ ସେ କୋରୋନା ସଂକ୍ରମିତ ଥିବା ଜଣାପଡିଛି । ଏନେଇ ଖୋଦ୍ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ଫେସ୍ବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ବଡକଥା ହେଉଛି, କିଛି ଦିନ ପୂର୍ବରୁ ସେନ୍ ନିଜ ଦେଶର ନମ୍ପେନ ଠାରେ ଏସିଆନ ସମ୍ମିଳନୀ ଆୟୋଜିତ କରିଥିଲେ । ଏଥିରେ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସମେତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଅନେକ ବିଶ୍ବନେତା ଯୋଗ ଦେଇଥିଲେ ।
ସୂଚନା ମୁତାବକ, ଜି-୨୦ ବୈଠକରେ ଯୋଗ ଦେବାକୁ ବର୍ତ୍ତମାନ ପ୍ରମୁଖ ବିଶ୍ବନେତା ବାଲି ଗସ୍ତରେ ଅଛନ୍ତି । ଏହି କ୍ରମରେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ସେନ୍ ମଧ୍ୟ ସେଠାରେ ପହଞ୍ଚିଥିଲେ । ହେଲେ ସୋମବାର ରାତିରେ ହୁନ ସେନ୍ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଣ୍ଡୋନେସିଆର ଡାକ୍ତର ଏହା ସ୍ପଷ୍ଟ କରିଛନ୍ତି । ସେ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଜି-୨୦ ବୈଠକରେ ଯୋଗ ନଦେଇ କାମ୍ବୋଡିଆ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଇଛନ୍ତି । ଏହାସହିତ ବ୍ୟାଙ୍ଗକକ୍ ଠାରେ ନିଜର APEC ଇକୋନୋମିକ ଫୋରମ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଧ କରିଛନ୍ତି ।