ଭେନିସ: ଇଟାଲି ଭେନିସରେ ଭୟଙ୍କର ସଡକ ଦୁର୍ଘଟଣା । ବସ୍ରେ ନିଆଁଲାଗି ପାଖାପାଖି 20 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 18 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2 ଶିଶୁ ରହିଥିବା ସୂଚନା ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି ।
ସୂଚନା ଅନୁୟାୟୀ, ଇଟାଲିର ନର୍ଥ ଭେନସ ମେଷ୍ଟ୍ରୁ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ବସଟି ଭେନିସରୁ ମରଘେରା ଯାଉଥିବା ବେଳେ ଭାରସାମ୍ୟ ହରାଇ ବସଟି ପୋଲ ତଳକୁ ଖସିପଡିଥିଲା । ଯାହାପରେ ବସରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ସମୟରେ ବସରେ 40ରୁ ଊର୍ଦ୍ଧ୍ବ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି 20ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 18 ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 2 ଶିଶୁଙ୍କ ସମେତ କିଛି ନାବାଳକ ରହିଛନ୍ତି। ବସରେ ଅଧିକାଂଶ ଯାତ୍ରୀ ପର୍ଯ୍ୟଟକ ଥିବା ବେଳେ ମୃତକ ଓ ଆହତଙ୍କ ମଧ୍ୟରେ ଅନେକ ବିଦେଶ ନାଗରିକ ଥିବା ନେଇ ସୂଚନା ରହିଛି ।
ତେବେ ଭାରତୀୟ ସମୟ ଅନୁସାରେ, ମଙ୍ଗଳବାର ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା ହୋଇଥିବା ବେଳେ ଯୁଦ୍ଧକାଳୀନ ସ୍ଥିତିରେ 7.45 ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଓ 9.30 ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହୋଇଥିଲା । ଘଟଣାସ୍ଥଳରେ ପାଖାପାଖି 20ଟି ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଥିଲା । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।