ଲଣ୍ଡନ:ଅନାସ୍ଥା ଭୋଟ୍ର ସାମ୍ନା କରିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କ ସଙ୍କଟ ଦୂର ହୋଇଛି । କାଟ ଖାଇଛି ଅନାସ୍ଥା ଭୋଟ୍ । ନିଜ ଦଳ କନଞ୍ଜଭେଟିଭ ପାର୍ଟିର କିଛି ନିର୍ବାଚିତ ସାଂସଦ ଜନସନଙ୍କ ବିରୋଧରେ ଅନାସ୍ଥା ଭୋଟ ଆଣିଥିଲେ । ଅନାସ୍ଥା ଭୋଟର ଫଳାଫଳ ପ୍ରକାଶ ପାଇଛି । ଦଳର ମୋଟ 359 ସାଂସଦଙ୍କ ମଧ୍ୟରୁ ବୋରିଶଙ୍କ ସପକ୍ଷରେ 211 ଏମପି ଭୋଟ ଦେଇଥିବାବେଳେ ବିରୋଧରେ 148 ଖଣ୍ଡ ଭୋଟ ପଡିଥିଲା । ଫଳରେ ବୋରିଶଙ୍କୁ ବଡ ଆଶ୍ବସ୍ତି ମିଳିଛି । ପଦ ବଞ୍ଚିବା ସହ ଜନସନଙ୍କ ପ୍ରଧାନମନ୍ତ୍ରୀତ୍ବ ସ୍ଥାୟୀ ହୋଇଛି । 1922 କମିଟିର ଅଧ୍ୟକ୍ଷ ସାର ଗ୍ରାହମ ବାର୍ଡି ଫଳାଫଳ ଘୋଷଣା କରିଥିଲେ ।
କୋରୋନା ମହାମାରୀର ଲକଡାଉନ ସମୟରେ ବୋରିଶ ଜନସନ ଏକ ଡ୍ରିଙ୍କସ ପାର୍ଟରେ ସାମିଲ ହୋଇଥିଲେ । ପତ୍ନୀ କ୍ୟାରୀଙ୍କ ସହ ଜନସନ ଓ ଶତାଧିକ ଲୋକ ପାର୍ଟିରେ ସାମିଲ ହୋଇଥିଲେ । ଏ ନେଇ ବିବାଦ ସୃଷ୍ଟି ହୋଇଥିଲା । ଜନସନଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସମଗ୍ର ଦେଶବାସୀ ଘରେ ବନ୍ଦୀ ହୋଇଥିବାବେଳେ ଖୋଦ ପ୍ରଧାନମନ୍ତ୍ରୀ କିପରି ପାର୍ଟି କରୁଥିଲେ ବୋଲି ଜନସନଙ୍କୁ ସମାଲୋଚନା କରାଯାଇଥିଲା । ବିରୋଧୀ ଦଳ ଏବଂ ତାଙ୍କ ଦଳର ସଦସ୍ୟମାନେ ବିବାଦ ସୃଷ୍ଟି କରି ଜନସନଙ୍କୁ ଦାୟୀ କରି 'ପାର୍ଟିଗେଟ' ଦୁର୍ନୀତିକୁ ନେଇ ତାଙ୍କ ଇସ୍ତଫା ଦାବି କରିଥିଲେ ।