ଢାକା: ଭୋଟ୍ ଦେଉଛି ବାଂଲାଦେଶ । ଆଜି (ରବିବାର) ବାଂଲାଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ସକାଳ 8ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 5ଟା ଯାଏ ଜାରି ରହିବ । ଜାନୁଆରୀ 8 ତାରିଖ ଦିନ ପ୍ରକାଶ ପାଇବ ଫଳାଫଳ । ତେବେ ଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବେ ବୋଲି ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି ଦଳ ବାଂଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି) ନିର୍ବାଚନକୁ ବୟକଟ କରିଛିି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ 14ଟି ମତଦାନ କେନ୍ଦ୍ର ଓ 2 ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ ।
ବାଂଲାଦେଶ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଦେଶର 300ଟି ନିର୍ବାଚନ କ୍ଷେତ୍ରରୁ 299ଟି କ୍ଷେତ୍ର ପାଇଁ ଭୋଟ ଗ୍ରହଣ ଜାରି ରହିଛି । 42 ହଜାରରୁ ଊର୍ଦ୍ଧ୍ବ ମତଦାନ କେନ୍ଦ୍ରରେ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟିଂ ଚାଲିଛି । ଏହି ନିର୍ବାଚନରେ 27 ରାଜନୈତିକ ଦଳର 15 ଶହରୁ ଊର୍ଦ୍ଧ୍ବ ଆଶାୟୀ ପ୍ରାର୍ଥୀ ଏବଂ 436 ଜଣ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ପାଖାପାଖି 11 କୋଟି 96 ଲକ୍ଷ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ବିରୋଧୀ ଦଳର ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅନ୍ୟପଟେ ମୁଖ୍ୟ ବିରୋଧି ଦଳର ନିର୍ବାଚନ ବୟକଟ ଯୋଗୁଁ ଶେଖ ହସିନାଙ୍କ ପାର୍ଟି ପୁଣିଥରେ କ୍ଷମତାକୁ ଆସିବା ନେଇ ଅନୁମାନ କରାଯାଉଛି ।
ଏହାମଧ୍ୟ ପଢନ୍ତୁ... ବାଂଲାଦେଶରେ ନିର୍ବାଚନୀ ହିଂସା, ଟ୍ରେନ ଜଳାଇ ଦେବାରୁ 5 ମୃତ