ଢାକା:ବାଂଲାଦେଶରେ ଶେଷ ହୋଇଛି ନିର୍ବାଚନ । ବିପୁଳ ଭୋଟ ପାଇ ଚତୁର୍ଥ ଥର ପାଇଁ ଶେଖ ହସିନାଙ୍କ ଦଳ ଆଓ୍ବାମୀ ଲିଗ ନିର୍ବାଚନରେ ବିଜୟ ହାସଲ କରିଛି । ପଞ୍ଚମ ଥର ପାଇଁ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବିରୋଧୀ ଦଳ ବିଏନପିକୁ ହରାଇ, ସଂଖ୍ୟା ଗରିଷ୍ଠତା ହାସଲ କରିଛି ଆଓ୍ବାମୀ ଲିଗ । 300 ଆସନ ବିଶିଷ୍ଟ ବାଂଲାଦେଶ ସଂସଦରେ 299ଟି ସିଟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ 223 ସିଟରେ ଆଓ୍ବାମୀ ଲିଗ୍ ଦଳ ବିଜୟୀ ହୋଇଛି । ଅନ୍ୟ ଏକ ଆସନରେ ପ୍ରତିଦ୍ବନ୍ଦୀ କରୁଥିବା ପ୍ରାର୍ଥୀଙ୍କ ମୃତ୍ୟୁ ହେବାରୁ ପରବର୍ତ୍ତୀ ସମୟରେ ସେଠାରେ ନିର୍ବାଚନ ହେବା ନେଇ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ-'ଭାରତ ବାଂଲାଦେଶର ବିଶ୍ୱସ୍ତ ବନ୍ଧୁ'; ନିର୍ବାଚନ ମଧ୍ୟରେ ଭାରତକୁ ଶେଖ୍ ହସିନାଙ୍କ ପ୍ରଶଂସା
ବିରୋଧୀ ଦଳ ଜାଟିଆ ପାର୍ଟି 11ଟି ସିଟରେ ବିଜୟୀ ହୋଇଥିବା ବେଳେ ବାଂଲାଦେଶ କଲ୍ୟାଣ ଦଳ ଗୋଟିଏ ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଛି । ଅନ୍ୟ 62ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଠଛନ୍ତି । ଜାଟିଆ ସମାଜତାନ୍ତ୍ରିକ ଦଳ ଏବଂ ବାଂଲାଦେଶର ୱାର୍କର୍ସ ପାର୍ଟି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । 76 ବର୍ଷିୟା ଶେଖ ହସିନା ଗୋପାଳଗଞ୍ଜ -3 ନିର୍ବାଚନମଣ୍ଡଳୀରୁ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅଷ୍ଟମ ଥର ପାଇଁ ଶେଖ ହସିନା ସଂସଦକୁ ନିର୍ବାଚିତ ହୋଇଛନ୍ତି । 2009ରୁ କ୍ରମାଗତ ଭାବେ ବାଂଲେଦେଶର ପ୍ରଧାନମନ୍ତ୍ରୀ ରହି ଆସିଛନ୍ତି ଶେଖ ହସିନା । ତାଙ୍କ ଦଳ ଆୱାମୀ ଲିଗ୍ ଲଗାତର ଚତୁର୍ଥ ଥର ପାଇଁ ନିର୍ବାଚନରେ ବିଜୟ ହାସଲ କରିଛି । ଫଳରେ ଦେଶରେ ପଞ୍ଚମ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶେଖ ହସିନା । ନିର୍ବାଚନରେ 40 ପ୍ରତିଶତ ମତଦାନ ହୋଇଥିଲା।