ହାରିସ ପାର୍କ (ଅଷ୍ଟ୍ରେଲିଆ):ଭାରତୀୟ ଚଟପଟା ଖାଦ୍ୟର ସ୍ବାଦ କେବଳ ଦେଶର ସୀମିତ ନାହିଁ, ଏହା ବିଦେଶରେ ମଧ୍ୟ ପହଞ୍ଚିଛି । ଅନେକ ସମୟରେ ବିଦେଶୀ ଭାରତର ରାସ୍ତାକଡ଼ ଖାଦ୍ୟର ପ୍ରେମରେ ପଡ଼ିଥିବା ଦେଖିବାକୁ ମିଳେ । ନିକଟରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ମଧ୍ୟ ଗୁପଚୁପ ଖାଉଥିବା ନଜର ଆସିଥିଲେ । ତେବେ ଏହି ତାଲିକାରେ ଏବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି । ସେ ହାରିସ ପାର୍କ ସ୍ଥିତ ଏକ ରେସ୍ତୋରାଁରେ ଜିଲାପି ଓ ଚାଟ୍ ଖାଉଥିବାର ନଜର ଆସିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ସେ ଏହି ଖାଦ୍ୟ ଚାଖିଥିବା କହିଛନ୍ତି ।
ଏ ନେଇ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ନିଜ ଟ୍ବିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ହାରିସ ପାର୍କ ସ୍ଥିତ ଚାଟକାଜରେ ସେ ଚାଟ୍ ଓ ଜୟପୁର ସ୍ବିଟ୍ସରେ ଜିଲାପି ଚାଖିଥିବା କହିଛନ୍ତି । ଏହା ତାଙ୍କୁ ବେଶ ପସନ୍ଦ ଆସିଥିବା ମଧ୍ୟ କହିଛନ୍ତି ଆନ୍ଥୋନି । ଆନ୍ଥୋନିଙ୍କ ଏହି ଭିଡିଓ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଆନ୍ଥୋନିଙ୍କ ପାଇଁ ଏହା ଏକ ସ୍ମରଣୀୟ ଶୁକ୍ରବାର ହୋଇ ରହିବ ବୋଲି କହିଛନ୍ତି ମୋଦି । ଭାରତର ଖାଦ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିଥିବାରୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।