ସିଡନୀ: ଅଷ୍ଟ୍ରେଲିଆରେ ଲାଗିରହିଛି ସାମ୍ପ୍ରଦାୟିକ ଦଙ୍ଗା । ଗତ କିଛି ମାସ ଧରି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଲଗାତର ମନ୍ଦିର ଭଙ୍ଗାରୁଜା କରୁଥିବା ଖବର ଆସୁଛି । ଯାହାକି ହିନ୍ଦୁମାନଙ୍କ ଧାର୍ମିକ ଭାବାବେଗକୁ କୁଠାରଘାତ କରୁଥିବାବେଳେ ଏହାକୁ ବିରୋଧ କରିଆସୁଛନ୍ତି ଅଷ୍ଟ୍ରେଲିଆରେ ବସବାସ କରୁଥିବା ହିନ୍ଦୁ ସମ୍ପ୍ରଦାୟ । ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆର ବ୍ରେସବେନ୍ ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଭଙ୍ଗାରୁଜା କରିଥିଲେ ଖଲିସ୍ତାନୀ ସମର୍ଥକ । ଏହା ପୂର୍ବରୁ ଜାନୁଆରୀ ମାସରେ ମାତ୍ର ୧୫ ଦିନ ଅନ୍ତରରେ ୩ଟି ମନ୍ଦିର ଧୂଳିସାତ୍ କରାଯାଇଥିଲା । ଖାଲି ସେତିକି ନୁହେଁ, ଭାରତୀୟଙ୍କ ବିରୋଧରେ ନାରାବାଜି କରାଯିବା ସହ ହିଂସା ସୃଷ୍ଟି କରାଯାଇଥିଲା ।
ସୂଚନା ମୁତାବକ, ଅଷ୍ଟ୍ରେଲିଆରେ ପାଖାପାଖି ୬ ଲକ୍ଷ ୮୪ହଜାର ହିନ୍ଦୁ ବସବାସ କରୁଛନ୍ତି । ସେମାନଙ୍କୁ ବିରୋଧ କରି କେତେକ ଖଲିସ୍ତାନୀ ସମର୍ଥକ ରାଜଧାନୀ ସିଡନୀ ସମେତ ଅନେକ ମନ୍ଦିର ଭାଙ୍ଗି ସେଠାରେ ଖଲିସ୍ତାନ ପତାକା ଉଡାଉଥିବା ଦେଖିବାକୁ ମିଳିଛି । ଗତ ୫ ତାରିଖରେ ସିଡନୀ ସ୍ଥିତ ରୋଜ୍ ହିଲରେ ଥିବା ଶ୍ରୀ ସ୍ବାମୀ ନାରାୟଣ ମନ୍ଦିର ଉପରକୁ କରାଯାଇଥିଲା ଆକ୍ରମଣ । ନିଉ ସାଉଥ୍ ୱେଲସ ପୋଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।