ହାଇଦ୍ରାବାଦ:ଗାଜାରେ ମାନବୀୟ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ହସ୍ପିଟାଲ ଗୁଡିକରେ ବିଜୁଳି ଅଭାବରୁ ଏବେ ସର୍ବାଧିକ ସଙ୍କଟରେ ଗର୍ଭବତୀ, ନବଜାତ ଶିଶୁ ଓ ଆହତ ନାଗରିକ । ତେବେ ଏହାରି ମଧ୍ୟରେ ଆଜି ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଅତି କମରେ ପ୍ରାୟ 30 ରୁ ଅଧିକ ପ୍ରିମ୍ୟାଚୋର ଶିଶୁଙ୍କୁ ସହରର ମୁଖ୍ୟ ହସ୍ପିଟାଲରୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଗମ୍ଭୀର ରହିଛି । ସେମାନଙ୍କୁ ଇଜିପ୍ଟ ସ୍ଥାନାନ୍ତରଣ କରାଯିବ ।
ଗାଜାର ଶିଫା ହସ୍ପିଟାଲରୁ ଦାରୁଣ ଚିତ୍ର ସାମ୍ନାକୁ ଆସିଥିଲା । ଏହି ହସ୍ପିଟାଲରେ ବହୁ ଆହତ ଓ ନବଜାତ ଶିଶୁ ଚିକିତ୍ସାଧୀନ ଥିବା ବେଳେ ପାଓ୍ବାର ବ୍ଲାକଆଉଟ (ବିଜୁଳି ନଥିବା) ସମସ୍ୟା ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଡାକ୍ତରମାନେ ନବଜାତ ଶିଶୁଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ହସ୍ପିଟାଲରେ ବିଜୁଳି ନଥିବା କାରଣରୁ ମେଡିକାଲ ସରଞ୍ଜାମ କାର୍ଯ୍ୟକ୍ଷମ କରାଯାଇପାରୁନି । ଔଷଧ, ଖାଦ୍ୟ, ପିଇବା ପାଣି ମଧ୍ୟ ଗଚ୍ଛିତ ନାହିଁ । ହସ୍ପିଟାଲ ବାହାରେ ଇସ୍ରାଏଲୀ ଡିଫେନ୍ସ ଫୋର୍ସ ହମାସ ଆତଙ୍କୀଙ୍କ ଖୋଜିବାରେ ଅପରେସନ ଜାରି ରଖିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା । ଯାହା ଗାଜାରେ ଜାରି ରହିଥିବା ମାନବୀୟ ସଙ୍କଟକୁ ପୁଣି ଥରେ ବିଶ୍ବବାସୀଙ୍କ ନଜରକୁ ଆଣିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ଟିମ୍ ମଧ୍ୟ ଏହି ହସ୍ପିଟାଲ ଗସ୍ତ କରିସାରିଛନ୍ତି । ଏଠାରେ ଏବେ 32 ଶିଶୁଙ୍କ ସମେତ ମୋଟ 291 ଜଣ ଆହତ ଚିକିତ୍ସାଧୀନ ଥିଲେ । ଏହି ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ଯେଉଁମାନଙ୍କୁ ଆବଶ୍ୟକ ସ୍ଥଳେ ଅନ୍ୟତ୍ର ସ୍ଥାନାନ୍ତର କରିବା ମଧ୍ୟ ଏତେ ସହଜ ହେବ ନାହିଁ ।